ଆନ୍ଧ୍ର ପ୍ରଦେଶରେ ସ୍ଥାନୀୟ ନିର୍ବାଚନ ପ୍ରସଙ୍ଗରେ ଚାଲିଥିବା ବର୍ଷେବ୍ୟାପୀ ବିବାଦ ପରେ ତାର୍କିକ ନିଷ୍କର୍ସ ବାହାର କରିଛନ୍ତି ସୁପ୍ରିମକୋର୍ଟ । ରାଜନୈତିକ ଦଳଗୁଡିକ ମଧ୍ୟରେ ବ୍ୟାଲଟ ଲଢେଇ ପରିବର୍ତ୍ତେ ଏହି ପ୍ରସଙ୍ଗ ସାମ୍ବିଧାନିକ ବ୍ୟବସ୍ଥାଗୁଡିକ ମଧ୍ୟରେ ଏକ ବିବାଦ ସୃଷ୍ଟି କରିଥିଲା । ଆଉ ଏଥିପାଇଁ ଆନ୍ଧ୍ର ପ୍ରଦେଶର ଶାସକ ଦଳକୁ ଦାୟୀ କରାଯାଉଛି । ନିର୍ବାଚନ କରିବା ନେଇ ଉଭୟ ରାଜ୍ୟ ଓ କେନ୍ଦ୍ରୀୟ ନିର୍ବାଚନ କମିଶନ ହାତରେ ସମାନ କ୍ଷମତା ରହିଛି ବୋଲି ସୁପ୍ରିମକୋର୍ଟ ଆଗରୁ ଏକାଧିକ ଥର କହିସାରିଛନ୍ତି । ତେବେ, ସ୍ଥାନୀୟ ନିର୍ବାଚନ ସ୍ଥଗିତ ରଖିବା ନେଇ ଅଯଥାରେ ବିବାଦ ସୃଷ୍ଟି ହୋଇଛି । ଏ କ୍ଷେତ୍ରରେ ରାଜ୍ୟ ନିର୍ବାଚନ କମିଶନକୁ ଉପେକ୍ଷା କରିବା ପାଇଁ ହୋଇଥିବା ଉଦ୍ୟମକୁ ନିଷ୍ଫଳ କରିଦେଇଛନ୍ତି ସୁପ୍ରିମକୋର୍ଟ । ଏଭଳି ଅଶୋଭନୀୟ ଘଟଣା ପାଇଁ କ୍ଷମତାରେ ଥିବା ଦଳକୁ ହିଁ ନିନ୍ଦା କରାଯାଇପାରେ ।
ଚାରି ଦିନ ପୂର୍ବେ, ଆନ୍ଧ୍ର ପ୍ରଦେଶ ହାଇକୋର୍ଟଙ୍କ ଏକ ଖଣ୍ଡପୀଠ ଦର୍ଶାଇଥିଲେ ଯେ, ନିର୍ବାଚନ ପାଇଁ ସଠିକ ତାରିଖ ଧାର୍ଯ୍ୟ କରିବାର ଚୂଡାନ୍ତ କ୍ଷମତା ରାଜ୍ୟ ନିର୍ବାଚନ କମିଶନ ( ଏସଇସି )ଙ୍କ ପାଖରେ ରହିଛି । ଉଭୟ ନିର୍ବାଚନ ଓ ଟିକାକରଣ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ହାଇକୋର୍ଟ କହିଥିଲେ । ଏହି ବିବାଦରେ ଜଡିତ ଥିବା ଦୁଇ ପକ୍ଷ ଉଭୟ ନିର୍ବାଚନ ଓ ଟିକାକରଣ ସୁନିଶ୍ଚିତ କରିବା ଦରକାର ବୋଲି କହିଥିଲେ ହାଇକୋର୍ଟ । ଏହାପରେ ଆନ୍ଧ୍ର ପ୍ରଦେଶ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ଯୁକ୍ତି ଥିଲା ଯେ, କୋଭିଡ ଟିକାକରଣ ଅଭିଯାନ ଚାଲିଥିବାରୁ ନିର୍ବାଚନ କରାଯାଇ ପାରିବ ନାହିଁ । କିନ୍ତୁ ସୁପ୍ରିମକୋର୍ଟରେ ବି ଆନ୍ଧ୍ର ପ୍ରଦେଶ ସରକାରଙ୍କୁ ନିରାଶ ହେବାକୁ ପଡିଛି । ଯେତେବେଳେ କୋଭିଡ ମହାମାରୀର ପ୍ରକୋପ ଅଧିକ ଥିଲା,ସେତେବେଳେ ରାଜ୍ୟ ସରକାର ନିର୍ବାଚନ କରିବା ପାଇଁ ଅଡି ବସିଥିଲେ । କିନ୍ତୁ ଏବେ ମହାମାରୀ ପ୍ରକୋପ ହ୍ରାସ ପାଉଥିବାରୁ କାହିଁକି ମନା କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଏହି ପର୍ଯ୍ୟବେକ୍ଷଣ ଆନ୍ଧ୍ର ସରକାରଙ୍କୁ ଅଡୁଆରେ ପକାଇଛି ।
ଆନ୍ଧ୍ର ପ୍ରଦେଶ ହାଇକୋର୍ଟଙ୍କ ରୁଲିଂ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ରାଜ୍ୟ ନିର୍ବାଚନ କମିଶନଙ୍କ ଭୁଲ କେଉଁଠି ରହିଲା ଓ କାହିଁକି ଅମଲାତନ୍ତ୍ର ତାଙ୍କ ବିରୋଧରେ ସ୍ୱରତ୍ତୋଳନ କରିଛନ୍ତି ବୋଲି ଆନ୍ଧ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ । ନିର୍ବାଚନ ମାମଲାରେ ରାଜ୍ୟ ନିର୍ବାଚନ କମିଶନଙ୍କ ହିଁ ନିଷ୍ପ ହିଁ ଚୂଡାନ୍ତ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ରାଜ୍ୟ ସରକାର ନିର୍ବାଚନ କରିବାକୁ ଚାହୁଁ ନ ଥିବା ପଛରେ ଅନ୍ୟ କିଛି କାରଣ ରହିଥିବା ଜଣାପଡୁଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି