ହାଇଦ୍ରାବାଦ:ରଙ୍ଗର ପର୍ବ ହୋଲି । ଭାରତର ଅତି ଲୋକପ୍ରିୟ ପର୍ବ ଭିତରୁ ଏହା ଅନ୍ୟତମ । ବସନ୍ତ ଋତୁର ଏହି ପର୍ବକୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ଖୁବ୍ ଧୁମ୍ଧାମ୍ରେ ପାଳନ କରନ୍ତି । ଗାଁଠୁ ସହର ସବୁଆଡେ ଉଡେ ଅବିର । ପରିବେଶ ହୋଇଯାଏ ରଙ୍ଗୀନ । ହସ ଦୁଃଖ ଭରା ଜୀବନର କିଛି ରଙ୍ଗ ସହିତ ନିଜେ ନିଜ ଭିତରେ ଟିକେ ହଜିଯିବା ପାଇଁ ଆସିଛି ରଙ୍ଗର ପର୍ବ ହୋଲି । ହର୍ଷ ଉଲ୍ଲାସର ଏହି ପର୍ବରେ ଚାରିଆଡେ଼ ଥାଏ କେବଳ ରଙ୍ଗ ରଙ୍ଗ ଆଉ ରଙ୍ଗ । ଅବିରର ସୁଗନ୍ଧରେ ମହକିଯାଏ ସମଗ୍ର ପରିବେଶ । ଏହି ପବିତ୍ର ଦିନରେ ଲୋକେ ହୋଲି ଖେଳିବା ସହ ସୁଆଦିଆ ବ୍ୟଞ୍ଜନ ପ୍ରସ୍ତୁତ କରିଥାଆନ୍ତି ।
କେବଳ ଏତିକି ନୁହେଁ, ପାଟିକୁ ମିଠା ଓ ମନକୁ ଥଣ୍ଡା କରିବା ପାଇଁ ବିଭିନ୍ନ ପ୍ରକାରର ପାନୀୟ ଦ୍ରବ୍ୟ ପିଅନ୍ତି । ତେଣିକି ସେ ଲସି ହେଉ କିମ୍ବା ଭାଙ୍ଗ ପଣା । ବିନା ସରବତରେ ହୋଲି ଯେମିତି ଅଧୁରା ଲାଗେ । ତେଣୁ ଗାଁଠୁ ସହର ସମସ୍ତେ ଏହି ହୋଲିରେ ଦହି ପଣା, ରାବିଡି, ଲସି ନଚେତ୍ ଭାଙ୍ଗ ପଣା ପିଇବାକୁ ବେଶ୍ ଭଲପାଆନ୍ତି । ଏହା ହୋଲିର ମଜାକୁ ଆହୁରି ଦ୍ବିଗୁଣିତ କରିଦେଇଥାଏ । କିନ୍ତୁ କେହି ଜାଣି ନ ଥିବେ ଯେ, ଭାଙ୍ଗ ପଣା କେବେ ଠାରୁ ଆରମ୍ଭ ହୋଇଛି ଓ ଏହା ପଛରେ କେଉଁ ଧାର୍ମିକ କାରଣ ରହିଛି, ତେଣୁ ଚାଲନ୍ତୁନା ଜାଣିବା, ହୋଲି ପଛରେ ଭାଙ୍ଗ ପଣାର ରହସ୍ୟ...
ଧାର୍ମିକ କାରଣ:
ସମୁଦ୍ର ମନ୍ଥନ ସମୟରେ ଯେତେବେଳେ ଭଗବାନ ଶିବ ବିଷ ପାନ କରିଥିଲେ, ସେତେବେଳେ ତାଙ୍କୁ ବହୁତ ଗରମ ହୋଇଥିଲା, କାହିଁକିନା ବିଷ ବହୁତ ଗରମ ଥିଲା । ଶିବ ବାତୁଳପ୍ରାୟ ହୋଇ କୈଳାସ ପର୍ବତ ଚାଲିଯାଇଥିଲେ । ଏହି ବିଷର ପ୍ରକୋପକୁ କମାଇବା ପାଇଁ ପ୍ରଭୁ ଶିବ ଭାଙ୍ଗ ପାନ କରିଥିଲେ । ଭାଙ୍ଗ ବହୁତ ଥଣ୍ଡା ହୋଇଥାଏ । ଏହାପର ଠାରୁ ଭଗବାନ ଶିବଙ୍କୁ ଭାଙ୍ଗ ବହୁତ ପସନ୍ଦ ଆସିଥିଲା । ସେଥିପାଇଁ ଭଗବାନ ଶିବଙ୍କୁ ପୂଜା କଲାବେଳେ ଭାଙ୍ଗ ଅର୍ପଣ କରାଯାଏ । ରୁଦ୍ରାଭିଷେକ ହେଉ କିମ୍ବା ଶିବରାତ୍ରୀ, ଶିବଙ୍କ ନିକଟରେ ଭକ୍ତ ଭାଙ୍ଗଟିଏ ନିହାତି ରଖିଥାଏ । କାହିଁକିନା ଭାଙ୍ଗ ବିନା ପ୍ରଭୁ ଶିବଙ୍କ ଆରାଧନା ଏକଦମ୍ ଅଧୁରା । ଭାଙ୍ଗ ଅର୍ପଣ କଲେ ଶିବ ଭାରି ପ୍ରସନ୍ନ ହୁଅନ୍ତି । ଭାଙ୍ଗ ସହ ବେଲପତ୍ର ଓ ଦୁଦୁରା ଫୁଲ ମଧ୍ୟ ଅର୍ପଣ କରାଯାଏ ।