ନୂଆଦିଲ୍ଲୀ:ଉତ୍ତରାଖଣ୍ଡ (Uttarakhand) ରେ ବିଜେପି ପୁଣି ଥରେ ପ୍ରଚଣ୍ଡ ବହୁମତ ସହ କ୍ଷମତା ବଜାୟ ରଖିଛି । ଏହି ବମ୍ପର ବିଜୟ ପାଇଁ ନେତୃତ୍ବ ନେଇଥିବା ନିଜେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ (Pushkar Singh Dhami) କିନ୍ତୁ ନିର୍ବାଚନରେ ପରାସ୍ତ ହୋଇଛନ୍ତି । ଫଳରେ ଦେବଭୂମି ଉତ୍ତରାଖଣ୍ଡର କିଏ ହେବ ନୂଆ ମୁଖ୍ୟମନ୍ତ୍ରୀ ତାକୁ ନେଇ ଦିଲ୍ଲୀରୁ ଡେରାଡୁନ ଯାଏଁ ଆରମ୍ଭ ହୋଇଛି ଅଙ୍କକଷା ।
ଧନ ସିଂ ରାୱତ
ତେବେ ପ୍ରାରମ୍ଭିକ ଚର୍ଚ୍ଚା ଆଲୋଚନା ଅନୁସାରେ ଜଣେ ନିର୍ବାଚିତ ବିଧାୟକଙ୍କୁ ହିଁ ମୁଖ୍ୟମନ୍ତ୍ରୀ କରାଯିବ । ଯେଉଁମାନଙ୍କ ମଧ୍ୟରେ ଆଗରେ ଅଛନ୍ତି ଧାମୀ ସରକାରରେ ସ୍ବାସ୍ଥ୍ୟମନ୍ତ୍ରୀ ଥିବା ଧନ ସିଂ ରାୱତ । ଯାହାଙ୍କର ସଂଗଠନରେ ଦକ୍ଷତା ଅଛି, ସଂଘ ସହିତ ଉତ୍ତମ ସମ୍ପର୍କ ରହିଛି । କେନ୍ଦ୍ରୀୟ ନେତୃତ୍ବ ସହ ପୁରା ସିଧା ସଳଖ ସମ୍ପର୍କରେ ବି ରହି ଆସିଛନ୍ତି । ଏହାସହ ରାଜ୍ୟର ଜଣେ ଲୋକପ୍ରିୟ ନେତା ମଧ୍ୟ । ଏହାବାଦ ପୂର୍ବ ମୁଖ୍ୟମନ୍ତ୍ରୀ ତ୍ରୀବେନ୍ଦ୍ର ସିଂ ରାୱତଙ୍କ ପାଖ ଲୋକ ଭାବେ ବେଶ ଜଣାଶୁଣା ।
ସତପାଲ ମହାରାଜ
ଯଦି କୌଣସି କାରଣରୁ ଧନ ସିଂ ରାୱତ ମୁଖ୍ୟମନ୍ତ୍ରୀ ଦୌଡରୁ ବାଦ ପଡନ୍ତି ତେବେ ଆଧ୍ୟାତ୍ମିକ ଗୁରୁ ତଥା ଚୌବଟ୍ଟାଖ୍ୟାଲ ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସତପାଲ ମହାରାଜଙ୍କୁ ସୁଯୋଗ ମିଳିପାରେ । ସତପାଲ ମହାରାଜ 2014 ରେ କଂଗ୍ରେସରୁ ବିଜେପିକୁ ଆସିଛନ୍ତି, ବିଜେପିକୁ ଆସିବା ପରେ ଅଧିକ କ୍ଷମତାଶାଳୀ ହେବା ସହ ନିର୍ବାଚନ ପ୍ରଚାର ପାଇଁ ରାଜ୍ୟ ବାହାରକୁ ମଧ୍ୟ ଯାଉଛନ୍ତି । ଏହାସହ ବିଜେପିର ଦିନୁକୁ ଦିନ ତାଙ୍କର ଗୁରୁତ୍ବ ବଢିବାରେ ଲାଗିଛି । ଗତ 3 ଥର ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ସମୟରେ ସତପାଲ ମହାରାଜଙ୍କ ନା ମଧ୍ୟ ଚର୍ଚ୍ଚା ହୁଏ । କିନ୍ତୁ ତାଙ୍କୁ ସୁଯୋଗ ମିଳିପାରି ନାହିଁ । ଏଥର ତାଙ୍କୁ ସୁଯୋଗ ମିଳିବାର ସମ୍ଭାବନ ରହିଛି । ତାଙ୍କ ସପକ୍ଷରେ ଆଉ ଏକ ବଡ କଥା ହେଉଛି, ସଂଘ ପ୍ରମୁଖ ମୋହନ ଭାଗବତଙ୍କ ସହ ରହିଛି ନିବିଡ ସମ୍ପର୍କ ।
ଅଜୟ ଭଟ୍ଟ
ଅଜୟ ଭଟ୍ଟ ନୈନିତାଲ- ଉଦ୍ଧମ ସିଂହ ନଗରରୁ ଲୋକସଭାକୁ ନିର୍ବାଚିତ ହୋଇ ବର୍ତ୍ତମାନ କେନ୍ଦ୍ର ପ୍ରତିରକ୍ଷା ରାଜ୍ୟ ମନ୍ତ୍ରୀ ଅଛନ୍ତି । ସେ ମଧ୍ୟ ଜଣେ ବରିଷ୍ଠ ଅନୁଭବୀ ନେତା । ଏହାସହ ସଂଗଠନ ଓ ସଂଘ ସହ ତାଙ୍କର ସୁଦୃଢ ସମ୍ପର୍କ ରହିଛି । 2017 ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିଲେ ମଧ୍ୟ ଦଳ ତାଙ୍କୁ 2019 ଲୋକସଭା ନିର୍ବାଚନ ଲଢିବା ପାଇଁ ଗୁରୁତ୍ବପୂର୍ଣ୍ଣ ନୈନିତାଲ- ଉଦ୍ଧମ ସିଂହ ନଗରରୁ ଲୋକସଭାରୁ ଟିକେଟ ଦେଇଥିଲା । ଆଉ ସେ ବିଜୟୀ ମଧ୍ୟ ହୋଇଥିଲେ ।
ଅନୀଲ ବାଲୁନୀ
ସାମ୍ବାଦିକତାରୁ ରାଜନେତା ହୋଇଥିବା ରାଜ୍ୟସଭା ସାଂସଦ ଅନୀଲ ବାଲୁନୀଙ୍କୁ ମଧ୍ୟ ହାଇକମାଣ୍ଡ ସୁଯୋଗ ଦେଇପାରନ୍ତି । କାରଣ ମୋଦି ଶାହାଙ୍କ ଅତ୍ୟନ୍ତ ବିଶ୍ବସ୍ତ ଓ ଭରସାଯୋଗ୍ୟ ହେଉଛନ୍ତି ଅନିଲ । ଯେବେ ଯେଉଁ ଦାୟିତ୍ବ କେନ୍ଦ୍ର ନେତୃତ୍ବ ଦେଇଛି ଅନୀଲ ତାକୁ ସଫଳତାର ସହ କରିଛନ୍ତି । ମୋଦି ଗୁଜୁରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ଅନିଲଙ୍କ ସହ ତାଙ୍କ ଭଲ ସମ୍ପର୍କ ରହିଆସିଛି । ଏହାସହ ମୋଦି ପ୍ରଧାନମନ୍ତ୍ରୀ ହେଲା ପରେ ଅନିଲଙ୍କ ଗୁରୁତ୍ବ ଆହୁରି ବଢିଥିଲା । ତାଙ୍କୁ ପ୍ରଥମେ ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ଦାୟିତ୍ବ ମିଳିଥିଲା । ପରେ ମିଡିଆ ପ୍ରମୁଖ ଦାୟିତ୍ବ ପାଇଥିଲେ । ପରେ ତାଙ୍କୁ ରାଜ୍ୟସଭା ପଠାଇଛି ଦଳ । ଦିଲ୍ଲୀରେ ରହୁଥିଲେ ମଧ୍ୟ ନିଜ ଗୃହରାଜ୍ୟ ଉତ୍ତରାଖଣ୍ଡର ବିକାଶ ପାଇଁ ନିରନ୍ତର ଉଦ୍ୟମ କରୁଛନ୍ତି । ତେଣୁ ତାଙ୍କୁ ଭରସା କରିପାରନ୍ତି ମୋଦି ।