ଗୌହାଟୀ:ପଠାନ ଫିଲ୍ମକୁ ନେଇ ବିବାଦ ଥମିବାର ନାଁ ନେଉନି । ୨୫ ତାରିଖରେ ଏହି ଫିଲ୍ମ ରିଲିଜ ହେବାକୁ ଥିବାବେଳେ ବିଭିନ୍ନ ସ୍ଥାନରେ ଏହାକୁ ପ୍ରବଳ ବିରୋଧ କରାଯାଉଛି । ଏହାରି ଭିତରେ ଏହି ବିବାଦୀୟ ଫିଲ୍ମକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମାଙ୍କ ଏକ ବୟାନ ସାମ୍ନାକୁ ଆସିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି, ''ଶାହାରୁଖ ଖାନ କିଏ ? ମୁଁ ତାଙ୍କ ଫିଲ୍ମ ପଠାନ ସମ୍ପର୍କରେ କିଛି ଜାଣିନି ।'' ଗତ ଶୁକ୍ରବାର ଦିନ ବଜରଙ୍ଗ ଦଳର କର୍ମୀମାନେ ଆସାମ ରାଜ୍ୟର ନାରେଙ୍ଗିରେ ଥିବା ଏକ ସିନେମା ହଲରେ ପଶି ଏହି ଫିଲ୍ମ ପୋଷ୍ଟର ଚିରିବା ସହ ହଙ୍ଗାମା କରିଥିଲେ । ଏହି ବିରୋଧ ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନରେ ବିଶ୍ବଶର୍ମା ଏପରି କହିଛନ୍ତି ।
ଆସାମ ମୁଖ୍ୟମନ୍ତ୍ରୀ ଆହୁରିମଧ୍ୟ କହିଛନ୍ତି ଯେ, ''ଶାହାରୁଖ ଖାନ ମୋତେ ଫୋନ କରିନାହାନ୍ତି । ବଲିଉଡର ଅନେକ କଳାକାର ସେମାନଙ୍କ ସମସ୍ୟା ବିଷୟରେ ମୋତେ କୁହନ୍ତି । ଯଦି ଖାନ ସେପରି କରିଥାନ୍ତେ ତେବେ ମୁଁ ଏହି ବିଷୟ ପ୍ରତି ଦୃଷ୍ଟି ଦେଇଥାନ୍ତି । ତେବେ ଯଦି କେହି ନିୟମ ଉଲ୍ଲଙ୍ଘନ କରେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ମାମଲା ରୁଜୁ ହେବ ।'' ଶୁକ୍ରବାର ବଜରଙ୍ଗ ଦଳର କର୍ମୀ ନାରେଙ୍ଗିରେ ଗୋଟିଏ ହଲ୍ରେ ପଶି ଫଠାନ ଫିଲ୍ମ ପୋଷ୍ଟର ଚିରିବା ସହ ପୋଡାଜଳା କରିଥିଲେ ।
ରିଲିଜ୍ ପୂର୍ବରୁ ହିଁ ବିବାଦ ଭିତରେ ଛନ୍ଦି ହୋଇଛି ଶାହରୁଖ ଖାନଙ୍କ ପଠାନ ଫିଲ୍ମ । ସିନେମାକୁ ବ୍ୟାନ୍ କରିବାକୁ ବିକ୍ଷୋଭ, ରାଲି ଓ କୁଶପୁତ୍ତଳିକା ଦାହ ହେଉଛି । ଫିଲ୍ମର ପ୍ରଥମ ଗୀତ ‘ବେଶରମ ରଙ୍ଗ’କୁ ନେଇ ଏହି ବିରୋଧ କରାଯାଇଛି । ଏଥିରେ ଅଶ୍ଳୀଳତା ରହିଛି ବୋଲି ଅଭିଯୋଗ ହେଉଛି । ଦୀପିକା ପାଦୁକୋନ ଏହି ଗୀତରେ ପିନ୍ଧିଥିବା ଗେରୁଆ ରଙ୍ଗର ବିକିନିକୁ ନେଇ ଏତେ ହଙ୍ଗାମା ହେଉଛି ।