ନୂଆଦିଲ୍ଲୀ: ରକ୍ତମୁଖା ଆତଙ୍କୀ । ଆତଙ୍କର ଜାଲ ବିଛାଇ କରୁଛନ୍ତି ମଣିଷଙ୍କ ରକ୍ତଭୋଜି । ଚାରିଆଡେ ରକ୍ତ ଛିଟା ସହ ଖଣ୍ଡ ବିଖଣ୍ଡିତ ମାଂସ ହାଡ । ଛାତି ଥରାଉଛି କାବୁଲ ବିସ୍ଫୋରଣ ପରର ବିଭୀଷିକା । ତାଲିବାନର କବଜା ପରେ ଅସ୍ଥିର ଆଫଗାନିସ୍ତାନ । ଏହାରି ମଧ୍ୟରେ କାବୁଲର ହମିଦ କରଜଇ ଅନ୍ତରାଷ୍ଟ୍ରୀୟ ବିମାନବନ୍ଦରରେ ଗୁରୁବାର ହୋଇଥିଲା ଭୟଙ୍କର ବିସ୍ଫୋରଣ । ଆଉ ଏଥିରେ 100ରୁ ଉର୍ଦ୍ଧ୍ବ ପ୍ରାଣ ହରାଇଥିବାବେଳେ ପାଖାପାଖି ଦେଢ ହଜାର ଲୋକ ଗୁରୁତର ଆହତ ହୋଇଛନ୍ତି । ଆକ୍ରମଣ ନେଇ ନିଜକୁ ଦାୟୀ କରିଛି ଆତଙ୍କୀ ସଂଗଠନ ଆଇଏସଆଇଏସ(ISIS) ।
ଆଫଗାନିସ୍ତାନ ରାଜଧାନୀ କାବୁଲ ବିମାନବନ୍ଦରରେ ବିସ୍ଫୋରଣ ଘଟଣା ପଛରେ ନିଜ ଆତଙ୍କୀଙ୍କ ହାତ ଥିବା ISIS-K ଦାବି କରିବା ପରେ ଏହି ନାଁକୁ ନେଇ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି ଅନେକ ପ୍ରଶ୍ନ । କେତେ ଭୟଙ୍କର ISIS-K ? କେମିତି ହେଲା ଏହାର ଜନ୍ମ ? ଏଭଳି ତମାମ ପ୍ରଶ୍ନ ଉପରୁ ଏବେ ପରଦା ହଟିବାରେ ଲାଗିଛି ।
କଣ ଏହି ଆଇଏସଆଇଏସ ଖୁରାସାନ ଅର୍ଥାତ ISIS-K ?
ଗୁରୁବାର କାବୁଲ ବିମାନବନ୍ଦରରେ ହୋଇଥିବା ଆତ୍ମଘାତୀ ଆକ୍ରମଣର ମୁଖ୍ୟ ସନ୍ଦିଗ୍ଧ ହେଉଛି ଆଫଗାନିସ୍ତାନର ଇସଲାମିକ ଷ୍ଟେଟ (ଆଇଏସ୍) ସହ ଜଡିତ ଏକ ଆତଙ୍କବାଦୀ ସଂଗଠନ। ଯାହା ଇସଲାମିକ ଷ୍ଟେଟ ଖୁରାସାନ୍ (ଆଇଏସ-କେ) ଭାବରେ ଜଣାଶୁଣା । ଗତ କିଛି ମାସ ମଧ୍ୟରେ ଆଇଏସଆଇଏସ-କେ ସହିତ ସଂଯୁକ୍ତ ଆକ୍ରମଣ ବିଶ୍ବକୁ ଚିନ୍ତାରେ ପକାଇଦେଇଛି ।
କେବେ ଜନ୍ମ ନେଇଥିଲା ISIS-K ?
ISIS-K ଛଅ ବର୍ଷ ପୂର୍ବେ ଜନ୍ମ ନେଇଥିଲା | ଆଇଏସଆଇଏସ ଖୁରାସାନ ହେଉଛି ISIS ଆତଙ୍କୀ ସଂଗଠନର ଏକ ଅଂଶ । ଏହାକୁ ପରିଚାଳିତ କରନ୍ତି ଆଫଗାନିସ୍ତାନ ଓ ପାକିସ୍ତାନର ଆତଙ୍କବାଦୀ । ଆଫଗାନିସ୍ତାନର ନାଙ୍ଗରହାର ରାଜ୍ୟରେ ରହିଛି ଏହାର ମୁଖ୍ୟାଳୟ । ତାଲିବାନୀ କମାଣ୍ଡର ମୁଲ୍ଲା ଉମରର ମୃତ୍ୟୁ ପରେ ତାଲିବାନର ଅନେକ କୁଖ୍ୟାତ ଆତଙ୍କବାଦୀ ଆଇଏସଆଇଏସ ଖୁରାସାନାରେ ସାମିଲ ହୋଇଯାଇଛନ୍ତି । ଏହିପରି ଭାବରେ ଏହାକୁ ତାଲିବାନରୁ ବିଚ୍ଛେଦ ହୋଇଥିବା ଏକ ଗ୍ରୁପ ବୋଲି ମଧ୍ୟ ବିବେଚନା କରାଯାଏ ।
2012ରେ ବନ୍ଧୁକଧାରୀମାନେ ଇରାନ, ତୁର୍କମେନିସ୍ତାନ, ଆଫଗାନିସ୍ତାନ ସୀମାରେ ଖୁରାସାନ ନାଁରେ ଏକ ସଂଗଠନ ଆରମ୍ଭ କରିଥିଲେ । 2014ରେ ଏହି ଗୋଷ୍ଠୀର ଆଇଏସଆଇସ ଆଡକୁ ଢଳିଥିଲା ଏବଂ ସେମାନେ ଇସଲାମିକ ଷ୍ଟେଟରେ ଯୋଗ ଦେଇଥିଲେ। ଆଇଏସଆଇଏସର ପ୍ରାୟ 20ଟି ଗ୍ରୁପ ରହିଛି, ଯେଉଁଥିରେ ସବୁଠାରୁ ଭୟଙ୍କର ହେଉଛି ଆଇଏସଆଇଏସ-କେ ଅର୍ଥାତ ଖୁରାସାନ ଗ୍ରୁପ | ଦକ୍ଷିଣ ଏସିଆରେ ଖୁରାସାନର ସବୁଠାରୁ ଶକ୍ତିଶାଳୀ ନେଟୱର୍କ ରହିଛି |