କୋଲକାତା: ସାଧାରଣତଃ ମଧୁମେହ ରୋଗୀଙ୍କୁ ରସଗୋଲା ଖାଇବାକୁ ବାରଣ ରହିଥାଏ । କାରଣ ରସଗୋଲା ଏକପ୍ରକାରର ମିଠା ଜାତୀୟ ଖାଦ୍ୟ । ଏହି ମିଠା ଖାଇବା ଦ୍ବାରା ସର୍କରା (Glucose)ର ପରିମାଣ ବୃଦ୍ଧି ପାଇଲେ ମଧୁମେହ ରୋଗୀଙ୍କ ପ୍ରତି ବିପଦ ରହିଥାଏ । କହିବାକୁ ଗଲେ ମଧୁମେହ ଓ ରସଗୋଲା ପରସ୍ପରର ଶତ୍ରୁ । ମାତ୍ର ଆଜି (ନଭେମ୍ବର ୧୪) ହେଉଛି ଏହି ୨ ଶତ୍ରୁଙ୍କ ପାଇଁ ଦିନଟିଏ । ଆଜିର ଦିନକୁ 'ବିଶ୍ବ ମଧୁମେହ ଦିବସ' (World Diabetes Day) ଓ ' ରସଗୋଲା ଦିବସ' (World Rasgulla day) ଭାବେ ପାଳନ କରୁଛନ୍ତି ପଶ୍ଚିମବଙ୍ଗବାସୀ । ଏହି ଦିନରେ ପଶ୍ଚିମବଙ୍ଗ ରସଗୋଲାକୁ ଜିଆଇ ମାନ୍ୟତା ମିଳିଥିବାରୁ ରାଜ୍ୟବାସୀ ଏହି ଦିନକୁ ରସଗୋଲା ଦିବସ ଭାବେ ପାଳନ କରନ୍ତି ।
ମାତ୍ର ଡାକ୍ତରଙ୍କ ମତରେ ମଧୁମେହ ରୋଗୀ ମଧ୍ୟ ରସଗୋଲା ବା ମିଠା ଜାତୀୟ ଖାଦ୍ୟ ଖାଇପାରିବେ । କେବଳ ଗୋଟିଏ କଥା ଧ୍ୟାନରେ ରଖିବା ଉଚିତ ଗ୍ଲୁକୋଜ ଓ କ୍ୟାଲୋରୀ (Glucose-Calorie balance) ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଉଚିତ । ମଧୁମେହ ରୋଗୀଙ୍କୁ ମଧ୍ୟ ବେଳେ ବେଳେ ମିଠା ଖାଇବାକୁ ପଡିଥାଏ । ମନୁଷ୍ୟ ଶରୀରରେ ଗ୍ଲୁକୋଜର ଆବଶ୍ୟକତା ରହିଛି । ମାତ୍ର ଏହା ଅଧିକ ହେଲେ ଶରୀର ପାଇଁ ବିପଦ ରହିଥାଏ । ଆବଶ୍ୟକ ମୁତାବକ ଗ୍ଲୁକୋଜର ପରିମାଣକୁ ବଜାୟ ରଖିବା ଲାଗି ମଧୁମେହ ରୋଗୀ ସମୟେ ସମୟେ ରସଗୋଲା ବା ମିଠା ଜାତୀୟ ଖାଦ୍ୟ ଖାଇପାରିବେ ।