କୋଲକାତା: କଥାରେ ଅଛି ବୃକ୍ଷ ହିଁ ଜୀବନ । ପରିବେଶ ସୁରକ୍ଷାରେ ବୃକ୍ଷର ସ୍ଥାନ ଅତୁଳନୀୟ । ବାଟରେ ଯାଉଥିବା ପଥିକଟିଏ ବୃକ୍ଷ ତଳେ ବସି କ୍ଷଣିକ ପାଇଁ ବିଶ୍ରାମ ନେଇଥାଏ । ଏବେ ପିଲାଙ୍କ ଭବିଷ୍ୟତ ଗଢିବାରେ ମଧ୍ୟ ବୃକ୍ଷ ସହାୟକ ହୋଇଛି । ଦିନ ଥିଲା ଏହି ବୃକ୍ଷମୂଳ କିଛି ଅସାମାଜିକ ବ୍ୟକ୍ତିଙ୍କ ପାଇଁ ଜୁଆ ଆଡ୍ଡା ପାଲଟିଥିଲା । ଯାହାଫଳରେ ଏକ ଅସାମାଜିକ ବାତାବରଣ ସୃଷ୍ଟି ହେଉଥିଲା । ହେଲେ ପଶ୍ଚିମବଙ୍ଗ କଲିଚିନିର ଜଣେ ଯୁବକ ନିମେଶ ଲାମାଙ୍କ ନିଆରା ପ୍ରୟାସରେ ଏହି ପରିସରର ରୂପରେଖ ବଦଳିଯାଇଛି । ସେ ବୃକ୍ଷ ମୂଳରେ ଏକ ଲାଇବ୍ରେରୀ କରିବାରେ ସଫଳ ହୋଇଛନ୍ତି ।
ଏହି ବୃକ୍ଷ ଚାରିପାଖରେ ଛାତ୍ରଛାତ୍ରୀ ଏକାଠି ନିଜ ଗଢିବା ପାଇଁ ସ୍ବପ୍ନ ଦେଖୁଛନ୍ତି । ନିମେଶ ଲାମା ଏଠାରେ ବୃକ୍ଷ ଲାଇବ୍ରେରୀ କରିବା ସହ ଯୁବପିଢିଙ୍କ ମାନସିକତାର ବିକାଶ ଏବଂ ସେମାନଙ୍କ ବିଭିନ୍ନ କ୍ଷେତ୍ରରେ ଉତ୍ସାହିତ କରିବା ପାଇଁ ପଦକ୍ଷେପ ନେଉଛନ୍ତି । ନିମେଶ ଲାମା ମାତ୍ର 25ଟି ବହି ନେଇ ବୃକ୍ଷ ଲାଇବ୍ରେରୀ ଆରମ୍ଭ କରିଥିଲେ । ବର୍ତ୍ତମାନ ଏଠାରେ ପ୍ରାୟ 400 ବହି ଉପଲବ୍ଧ ଅଛି । ପ୍ରତି ରବିବାର କଲିଚିନି ଚା’ ବଗିଚାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । ଯେଉଁଥିରେ ପିଲାମାନେ ଗିଟାର ବଜାଇବା ସହ ଗୀତ ଗାଆନ୍ତି । ଚିତ୍ର ଆଙ୍କନ୍ତି ଏବଂ ବିତର୍କ ପ୍ରତିଯୋଗିତା ମଧ୍ୟ ହୁଏ । ନିମେଶଙ୍କ ଏଭଳି ପଦକ୍ଷେପକୁ ସମସ୍ତେ ପ୍ରଶଂସା କରିଛନ୍ତି ।