କୋଲକାତା: ସାରା ଦେଶରେ ମହାମାରୀ କୋରୋନାର ଭୟାବହତା ମଧ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ । ଶନିବାର ରାଜ୍ୟରରେ ପଞ୍ଚମ ପର୍ଯ୍ୟାୟ ମତଦାନ ହେବ ।
ଶନିବାର ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ 29ଟି ଜାତୀୟ ତଥା ଆଞ୍ଚଳିକ ଦଳର 319 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ 1,13,35,344 ମତଦାତା । ମୋଟ ମତଦାତାଙ୍କ ମଧ୍ୟରୁ 57,23,766 ପୁରୁଷ ଥିବାବେଳେ 56,11,354 ମହିଳା ସାମିଲ ଅଛନ୍ତି ।
ସାମାଜିକ ଦୂରତାକୁ ସୁନିଶ୍ଚିତ କରିବା ପାଇଁ 6ଟି ଜିଲ୍ଲାରେ 15, 789 ମତଦାନ କେନ୍ଦ୍ର ଗଠନ କରାଯାଇଛି । 45 ନିର୍ବାଚନମଣ୍ଡଳୀରେ ମୋଟ 319 ଜଣ ପ୍ରାର୍ଥୀଙ୍କ ମଧ୍ୟରୁ 281 ଜଣ ପୁରୁଷ ଏବଂ 38 ଜଣ ମହିଳା ପ୍ରାର୍ଥୀ ମୈଦାନରେ ଅଛନ୍ତି ।
45 ନିର୍ବାଚନମଣ୍ଡଳୀରୁ 9ଟି ରେଡ ଆଲର୍ଟ ନିର୍ବାଚନମଣ୍ଡଳୀ ଘୋଷିତ ହୋଇଛି । ଏହିସବୁ ଆସନରେ 3ରୁ ଅଧିକ ପ୍ରାର୍ଥୀ ନିଜ ବିରୋଧରେ ଅପରାଧିକ ମାମଲା ଘୋଷଣା କରିଛନ୍ତି । ପୁଣିଥରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ଚୟନରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କୌଣସି ପ୍ରଭାବ ପକାଇ ନାହିଁ । କାରଣ ରାଜନୈତିକ ଦଳଗୁଡିକ ଅପରାଧିକ ପୃଷ୍ଠମୂମିରୁ ଆସୁଥିବା 25% ପ୍ରାର୍ଥୀଙ୍କୁ ଟିକେଟ ଦେଇଛନ୍ତି।