କୋଲକାତା:କୋଇଲା ଦୁର୍ନୀତି ମାମଲାର ତଦନ୍ତ କରୁଥିବା ସିବିଆଇ ଟିମର ଅଧିକାରୀଙ୍କ ବିରୋଧରେ କୋଲକାତା ପୋଲିସ ମାମଲା ରୁଜୁ କରିଛି । ସାଂସଦ ଅଭିଷେକ ବାନାର୍ଜୀଙ୍କ ଘରେ ସିବିଆଇ ଟିମ ପଚରାଉଚରା କରିବା ବେଳେ ବଳପୂର୍ବକ ବିବୃତ୍ତି ରେକର୍ଡ କରିଥିବା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି । କୋଲକାତାର ଡାଇମଣ୍ଡ ହାର୍ବର ଜିଲ୍ଲା ପୋଲିସ ପକ୍ଷରୁ ଏହି ମାମଲାରେ ତଦନ୍ତ କରୁଥିବା ସିବିଆଇ ଟିମ ଓ ଏହି ଟିମର ନେତୃତ୍ବ ନେଉଥିବା ତଦନ୍ତକାରୀ ଅଧିକାରୀ ଉମେଶ କୁମାରଙ୍କ ନାମରେ ଏତଲା ଦାଏର ହୋଇଛି ।
ଘଟଣା ଅନୁସାରେ, ହରିଷ ମୁଖାର୍ଜୀ ରୋଡରେ ଥିବା ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ ବାସଭନରେ ପଚରାଉଚରା ପାଇଁ ପହଞ୍ଚିଥିଲା ସିବିଆଇର ଏକ ଟିମ । ଏହି ଟିମର ନେତୃତ୍ବ ନେଉଥିଲେ ସିବିଆଇର ତଦନ୍ତକାରୀ ଅଧିକାରୀ ଉମେଶ କୁମାର । ଟିମ ସାଂସଦଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ପଚରା ଉଚରା କରିବା ସମୟରେ ବଳପୂର୍ବକ ବିବୃତ୍ତି ରେକର୍ଡ କରିଥିବା ମଧ୍ୟ ଅଭିଯୋଗ ହୋଇଥିଲା ।