କୋଲକାତା: ପଶ୍ଚିମବଙ୍ଗରେ ଆରମ୍ଭ ହୋଇଯାଇଛି ଖେଲା ହୋବେ କାର୍ଯ୍ୟକ୍ରମ । ପ୍ରତ୍ୟେକ ବର୍ଷ ଅଗଷ୍ଟ ୧୬ରେ ପାଳନ ହେବ ଖେଲା ହୋବେ ଦିବସ । ଏବେ ଖେଳା କମ ହୋଇଛି । ପ୍ରତି ରାଜ୍ୟରେ ଖେଳା ହେବ ବୋଲି କାର୍ଯ୍ୟକ୍ରମ ଲଞ୍ଚ କରି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
କୋଲକାତାର ନେତାଜୀ ଇନଡୋର ଷ୍ଟାଡିୟମରେ ଖେଲା ହୋବେ କାର୍ଯ୍ୟକ୍ରମ ଲଞ୍ଚ ସମୟରେ ଫୁଟବଲ ଖେଳିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଶ୍ବାସ ହେଉ କି ନ ହେଉ , ଖେଲା ହୋବେ ଅତ୍ୟନ୍ତ ଲୋକପ୍ରିୟ ହୋଇଛି । ଏହି ନାରା ସଂସଦରେ ମଧ୍ୟ ଶୁଣିବାକୁ ମିଳିଛି । ଏହା ଖୁବ ଶିଘ୍ର ଦେଶରେ ମଧ୍ୟ ଲୋକପ୍ରିୟ ହେବ ବୋଲି କହିଛନ୍ତି ମମତା ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ 'ଖେଲା ହୋବେ' ସ୍ଲୋଗାନ ଦେଇ ବୃହତ ବିଜୟ ହାସଲ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ଜୀବନ୍ତ ରଖିବା ଏବଂ ଆସନ୍ତା ନିର୍ବାଚନରେ ଏହାକୁ ବ୍ୟବହାର କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ମମତା ବାନାର୍ଜୀ ସୋମବାର କୋଲକାତାର ନେତାଜୀ ଇନଡୋର ଷ୍ଟାଡିୟମରେ 'ଖେଲା ହୋବେ' କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି ସମୟରେ ସେ ନିଜେ ମଧ୍ୟ ଫୁଟବଲ ଖେଳୁଥିବା ଦେଖିବାକୁ ମିଳିଛି । ସେ ମଞ୍ଚରୁ ଅନେକ ଫୁଟବଲ ଫିଙ୍ଗିଛନ୍ତି ।
୨୦୨୪ରେ ବିରୋଧୀ ଚେହେରା ଭାବରେ ପ୍ରଧାନମନ୍ତ୍ରୀଙ୍କୁ କଡା ଟକ୍କର ଦେବାକୁଯାଉଛନ୍ତି ଦିଦି । ନିକଟରେ ଦରବାରରେ ଦିଦିଙ୍କ ପାଦ ପଡିବା ପରେ ହଲଚଲ ହୋଇଉଠିଥିଲା ଜାତୀୟ ରାଜନୀତିର ପାୱାର କରିଡର । ଯେଉଁ ଖେଲା ହୋବେ ନାରା ବଳରେ ବଙ୍ଗ ମୈଦାନରେ ବାଜି ମାରି ମମତା ହ୍ୟାଟ୍ରିକ କ୍ଷମତା ଦଖଲ କରିଥିଲେ, ତାହାକୁ ଏବେ ଜାତୀୟ ରାଜନୀତିରେ ମଧ୍ୟ ପ୍ରୟୋଗ କରିବାକୁ ଚାହୁଁଛନ୍ତି ମମତା ।
ପଶ୍ଚିମବଙ୍ଗ ନିର୍ବାଚନରେ ବିଜୟ ହାସଲ କରିବା ପରେ ଏବେ ବିଜେପି ଶାସିତ ରାଜ୍ୟ ଉପରେ ରହିଛି ଦିଦିଙ୍କ ଫୋକସ । ମୋଦି-ଶାହାଙ୍କ ଗଡରେ ମଧ୍ୟ ଏଣ୍ଟ୍ରି କରି ଖେଲା କରିବା ମୁଡରେ ଅଛନ୍ତି ଦିଦି ।