କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀ ହଳଦିଆ ସମେତ ଏହାର ଆଖପାଖ ସ୍ଥାନରେ ନିର୍ବାଚନ ପ୍ରଚାର ଜାରି ରଖିଛନ୍ତି । ଏହି କ୍ରମରେ ସେ ହଳଦିଆରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କଲାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଜନତା ପାର୍ଟିକୁ ଭିନ୍ନ ଢଙ୍ଗରେ ଆକ୍ରମଣ କରିଥିବା ଦେଖିବାକୁ ମିଳିଛି । ମମତା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଦେଶର ବ୍ୟାଙ୍କ ଗୁଡିକୁ ବିକ୍ରି କରିବାରେ ଲାଗିଛନ୍ତି । ହଳଦିଆକୁ ମଧ୍ୟ ଖୁବଶୀଘ୍ର ବିକ୍ରି କରିବାର ଯୋଜନା ରଖିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ବିଜେପି ଏକ ଜଘନ୍ୟ ରାଜନୈତିକ ଦଳ । ଯାହା କେବଳ ମିଛ ପ୍ରତିଶୃତି ଦିଏ । ନିର୍ବାଚନ ପରେ ସେ ସବୁକୁ ବିଜେପି ଭୁଲିଯାଏ । କେନ୍ଦ୍ର ସରକାରଙ୍କ NRC ଓ NPRକୁ କଡା ସମାଲୋଚନା କରିଛନ୍ତି ମମତା । ମମତା କହିଛନ୍ତି କୌଣସି ପରିସ୍ଥିତିରେ ବଙ୍ଗରେ ଏହି ଦୁଇ ଆଇନକୁ ଲାଗୁ କରାଯିବାକୁ ଦିଆଯିବ ନାହିଁ । ଅନ୍ୟ କିଛି ରାଜ୍ୟରେ ଏହି ଆଇନ ଉପରେ କାର୍ଯ୍ୟକାରିତା ଆରମ୍ଭ ହୋଇଥିଲା ସୁଦ୍ଧା ବଙ୍ଗରେ ଟିଏମସି ସରକାର କାର୍ଯ୍ୟକାରୀ କରାଇ ଦେଇନାହିଁ । ଆଗାମୀ ଦିନରେ ମଧ୍ୟ ଏହି ଆଇନ ବଙ୍ଗରେ କୌଣସି ପରିସ୍ଥିତିରେ କାର୍ଯ୍ୟକାରୀ କରିବାକୁ ଦେବେ ନାହିଁ ବୋଲି ମମତା ଦୃଢୋକ୍ତି ପ୍ରକାଶ କରିଛନ୍ତି ।