କୋଲକତା: ଚାଲିଛି ଭୋଟ ଗଣତି । ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ଫଳାଫଳ ଆଜି ଆସିବ ! ଆଜିର ଜନାଦେଶକୁ ନେଇ ଉତ୍କଣ୍ଠିତ ଥିବା ଦେଶବାସୀଙ୍କ ନଜରରେ ରହିଛି ବେଙ୍ଗଲ । କିଏ ଦଖଲ କରିବ ପଶ୍ଚିମବଙ୍ଗ । ଖେଲା ହେବ ନା ହେବ ପରିବର୍ତ୍ତନ । ଅସ୍ପଷ୍ଟ ରହିଛି ବେଙ୍ଗଲ ଚିତ୍ର ।
ଏଥର କୋରୋନା ଭାଇରସ ପ୍ରକୋପ ଯୋଗୁଁ ମତଗଣନା କେନ୍ଦ୍ର ସଂଖ୍ୟା 200 ପ୍ରତିଶତ ବୃଦ୍ଧି ହୋଇଛି । ପଶ୍ଚିମବଙ୍ଗରେ ସବୁଠୁ ଅଧିକ 1,113 ମତଗଣନା କେନ୍ଦ୍ର କରାଯାଇଛି । ମତଗଣନା କେନ୍ଦ୍ର ସଂଖ୍ୟା ବୃଦ୍ଧି ପଛରେ ଆଉ ଏକ କାରଣ ହେଲା ବିଧାନସଭା ନିର୍ବାଚନରେ ବ୍ୟବହାର କରାଯାଉଥିବା ଡାକ ମତପତ୍ର ସଂଖ୍ୟା ବଢାଇବା ବି ରହିଛି ।
ଏଥର ସମସ୍ତଙ୍କ ନଜର ପଶ୍ଚିମବଙ୍ଗ ନିର୍ବାଚନ ଉପରେ ରହିଛି । କାରଣ ଏହି ନିର୍ବାଚନରେ ଶାସକ ଦଳ ଟିଏମସି ଓ ଭାଜପା ମଧ୍ୟରେ କଡା ଟକ୍କର ହେବା ଆଶା ରହିଛି । ପଶ୍ଚିମବଙ୍ଗରେ ମାର୍ଚ୍ଚ 27 ରୁ ଏପ୍ରିଲ 29 ଯାଏଁ ସବୁଠୁ ଅଧିକ 8ଟି ପର୍ଯ୍ୟାୟରେ ମତଦାନ ସମ୍ପର୍ଣ୍ଣ ହୋଇଛି ।
ପଶ୍ଚିମବଙ୍ଗରେ ସମସ୍ତ 294 ସିଟ ଉପରେ ମତଦାନ ହେବାକୁ ଥିବା ବେଳେ 2 ସିଟର ଆଶାୟୀ ପ୍ରାର୍ଥୀଙ୍କ ନିଧନ ଯୋଗୁଁ 292 ସିଟରେ ମତଦାନ ହୋଇଛି । 294 ସିଟ ଥିବା ପଶ୍ଚିମବଙ୍ଗ ବିଧାନସଭାରେ ବହୁମତ ସଂଖ୍ୟା 148 ରହିଛି । ହେଲେ ଏଥର 292 ସିଟରେ ମତଦାନ ହୋଇଛି । ଏଭଳି ସ୍ଥିତିରେ ବହୁମତ ସଂଖ୍ୟା 147 ରହିବ ।