ଓଡିଶା

odisha

ETV Bharat / bharat

ନଡ୍ଡାଙ୍କ କାର ଉପରେ ଆକ୍ରମଣ ଘଟଣା: 7 ଗିରଫ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗାଡି ଉପରକୁ ପଥର ଫିଙ୍ଗିବା ଘଟଣାରେ 7 ଜଣଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ...

ନଡ୍ଡାଙ୍କ କାର ଉପରେ ଆକ୍ରମଣ ଘଟଣା
ନଡ୍ଡାଙ୍କ କାର ଉପରେ ଆକ୍ରମଣ ଘଟଣା

By

Published : Dec 12, 2020, 7:18 AM IST

କୋଲକାତା: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଗାଡି ଉପରକୁ ଆକ୍ରମଣ ଘଟଣାରେ 7 ଜଣ ଗିରଫ ହୋଇଛନ୍ତି । ଗୁରୁବାର ହୋଇଥିବା ଏହି ଘଟଣାରେ ପୋଲିସ ମାମଲା ରୁଜୁ କରିବା ସହ 7 ଜଣଙ୍କୁ ଗିରଫ କରିଛି ।

ଘଟଣାକୁ ଦୃଷ୍ଟିରେ ରଖି ଅଜଣା ବ୍ୟକ୍ତିଙ୍କ ନାମରେ ବେଙ୍ଗଲ ପୋଲିସ ଦୁଇଟି ମାମଲା ରୁଜୁ କରିଛି । ନଡ୍ଡାଙ୍କ ଗାଡି ଉପରକୁ ପଥର ଫିଙ୍ଗିବା ଘଟଣାରେ ଏହି ମାମଲା ରୁଜୁ କରାଯାଇଛି । ମାମଲା ରୁଜୁ କରିବା ପରେ ପ୍ରାଥମିକ ତଦନ୍ତ କରି ପୋଲିସ 7 ଜଣଙ୍କୁ ଗିରଫ କରିଛି ।

ଅନ୍ୟପଟେ ବିଜେପି ନେତା ରାକେଶ ସିଂ ନାମରେ ମଧ୍ୟ ଆଉ ଏକ ମାମଲା ରୁଜୁ କରିଛି ପୋଲିସ । ଶିରାଖୋଲ ଓ ଦେବୀପୁରରେ ଲୋକଙ୍କୁ ଜମା କରି ଉସୁକାଇବା ଅଭିଯୋଗରେ ତାଙ୍କ ନାମରେ ମଧ୍ୟ ପୋଲିସ ମାମଲା ରୁଜୁ କରିଛି ।

ସୂଚନାଥାଉକି, ଗୁରୁବାର ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, କୈଳାସ ବିଜୟବର୍ଗୀୟ ଓ ସମ୍ବିତ ପାତ୍ର ଡାଇମଣ୍ଡ ହରବୋରକୁ ଏକ ସଭାରେ ଯୋଗ ଦେବାକୁ ଯାଉଥିବାବେଳେ ଆକ୍ରମଣର ଶିକାର ହୋଇଥିଲେ । ଏମାନଙ୍କ ଗାଡି ଯାଉଥିବା ରାସ୍ତାରେ କିଛି ଲୋକ ନାରାବାଜି ଲଗାଇବା ସହ ଢେଲାପଥର ମାରିଥିଲେ । ଯେଉଁଥିରେ ଗାଡିର କାଚ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଥିଲା ।

ବିଜୟବର୍ଗୀୟଙ୍କ ଗାଡିର କାଚ ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାଇଥିଲା । ତେବେ ଏହି ଆକ୍ରମଣ ପାଇଁ ବିଜେପି ନେତା ଟିଏମସି(ତୃଣମୃଳ କଂଗ୍ରେସ) ସମର୍ଥକଙ୍କୁ ଦାୟୀ କରିଥିଲେ । ଏହାସହ ଏହି ଆକ୍ରମଣରେ କିଛି ଲୋକ ଆହତ ହୋଇଥିବା ଦଳ ପକ୍ଷରୁ କୁହାଯାଇଥିଲା ।

ଏହି ଘଟଣା ପରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ରିପୋର୍ଟ ପଠାଇଛନ୍ତି । ଶୁକ୍ରବାର ଏନେଇ ସୂଚନା ଦେଇ ସେ କହିଛନ୍ତି, ‘ମୁଁ ମୋ ରିପୋର୍ଟ ଗୃହମନ୍ତ୍ରଣାଳୟକୁ ପଠାଇଦେଇଛି । ଏହା ସମସ୍ତଙ୍କୁ ଜଣାଇବା ଠିକ୍‌ ନୁହେଁ ।’

ସେପଟେ ଏହି ଆକ୍ରମଣ ପରେ ବିଜେପି ଓ ଟିଏମସି ମଧ୍ୟରେ ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି । ଜେପି ନଡ୍ଡାଙ୍କ କାର ଉପରକୁ ପଥର ମାଡ ଘଟଣାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟ୍ବିଟ କରି ନିନ୍ଦା କରିଛନ୍ତି। ସେ ଟ୍ବିଟ କରିଛନ୍ତି ଯେ, ‘ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉପରେ ହୋଇଥିବା ଆକ୍ରମଣକୁ ମୁଁ ନିନ୍ଦା କରୁଛି। ଏହି ଘଟଣାର ଯେତେ ନିନ୍ଦା କଲେ ସେତେ କମ ହେବ। କେନ୍ଦ୍ର ସରକାର ଏହି ମାମଲାକୁ ଗମ୍ଭୀରତାର ସହ ନେଉଛି। ଏଥିପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ସେଠାକାର ଜନତାକୁ ଜବାବ ଦେବାକୁ ହେବ।’

ଅନ୍ୟପଟେ ଘଟଣାକୁ ନେଇ ଡାଇମଣ୍ଡ ହରବାର ସାଂସଦ ତଥା ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ କହିଛନ୍ତି,‘ମୁଁ ଏ ଘଟଣାରେ କଣ କରିପାରିବି ? ଲୋକଙ୍କ ଭିତରେ ଥିବା ରାଗ ମୋ ଦାୟିତ୍ବ ନୁହେଁ ।’ କୋରୋନା କାଳରେ ଲକଡାଉନ, ଜିଏସଟି, ନୋଟବନ୍ଦୀ ଭଳି ପଦକ୍ଷେପ ପାଇଁ ଲୋକଙ୍କ ମନରେ ଆକ୍ରୋଶ ରହିଛି ବୋଲି ଅରମବାଗର ଏକ ସଭାରେ ଅଭିଷେକ କହିଛନ୍ତି ।

ସେହିପରି ଘଟଣାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ସମନ କରାଯାଇ ଆଜି ଦିଲ୍ଲୀ ଡକାଯାଇଥିବାବେଳେ ଏମାନଙ୍କୁ ପଠାଇ ହେବନି ବୋଲି ସଫାସଫା ମନା କରିଦେଇଛନ୍ତି ମମତା ସରକାର । ପୋଲିସ ଘଟଣାର ତଦନ୍ତ କରୁଛି । ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବଙ୍ଗ ସରକାରଙ୍କ ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details