ନୂଆଦିଲ୍ଲୀ : ଶେଷ ହେବାର ନାଁ ନେଉନି ଗାଜିପୁର ସୀମାରେ ଚାଷୀ ଆନ୍ଦୋଳନ । ସେଠାରେ ଧାରଣାରତ ଥିବା ଚାଷୀ ନେତା ତଥା ଭାରତୀୟ କିଶାନ ୟୁନିୟନର ପ୍ରବକ୍ତା ରାକେଶ ଟିକାୟତ ସରକାରକୁ ଚରମବାଣୀ ଶୁଣାଇଛନ୍ତି । ଟିକାୟତ କହିଛନ୍ତି ଯେପର୍ଯ୍ୟନ୍ତ ସରକାର ଏହି କଳା କାନୁନକୁ ପ୍ରତ୍ୟାହାର ନକରିଛନ୍ତି ସେ ପର୍ଯ୍ୟନ୍ତ ଏ ଆନ୍ଦୋଳନ ପ୍ରଶମିତ ହେବାର ପ୍ରଶ୍ନ ଉଠୁନାହିଁ । ଏହା ସହ ସେ ଧାରଣାସ୍ଥଳରୁ ହଟିବେ ନାହିଁ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି ।
ଟିକାୟତ କହିଛନ୍ତି କୃଷି ବିରୋଧୀ ଆଇନକୁ ନେଇ ଚାଲିଥିବା ଧାରଣା ଅକ୍ଟୋବର ମାସ ପୂର୍ବରୁ ଶେଷ ହେବାର ନାହିଁ । ସରକାର ଚାହିଁଲେ ବି ଏହି ପ୍ରତିବାଦକୁ ବନ୍ଦ କରିପାରିବେ ନାହିଁ ବୋଲି କହିଛନ୍ତି ଟିକାୟତ । ଗତ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଦେଖାଯାଇଥିବା କୃଷକ ହିଂସା ପରେ ଆକ୍ସନ ମୋଡକୁ ଆସିଥିଲେ ସରକାର । ତେବେ ଉକ୍ତ ଘଟଣାରେ ହିଂସା ଭିଆଇଥିବା ଦଙ୍ଗାକାରୀ ମାନଙ୍କୁ ଚିହ୍ନଟ କରି ଗିରଫ ଦାରି ପ୍ରକ୍ରିୟା ଚାଲୁରଖିଛି ପୋଲିସ । ସେହିପରି ଟ୍ରାକ୍ଟର ରାଲି ବାହାର କରିଥିବା କୃଷକ ନେତାଙ୍କୁ ମଧ୍ୟ ନୋଟିସ ପଠାଇଛି ପୋଲିସ ।