ନୂଆଦିଲ୍ଲୀ: ନବନିର୍ବାଚିତ କୁସ୍ତି ମହାସଂଘକୁ କ୍ରୀଡ଼ା ମନ୍ତ୍ରଣାଳୟ ନିଲମ୍ବିତ କରିବା ପରେ ଏହାର ଅଧ୍ୟକ୍ଷ ନିର୍ବାଚିତ ହୋଇଥିବା ସଞ୍ଜୟ ସିଂ କହିଛନ୍ତି ସେ ସରକାରଙ୍କ ସହ ଏପ୍ରସଙ୍ଗରେ ଆଲୋଚନା କରିବାକୁ ଯାଉଛନ୍ତି । ସେ ଓ କାର୍ଯ୍ୟକାରୀ କମିଟିର କିଛି ସଦସ୍ୟ ପ୍ରଧାନମନ୍ତ୍ରୀ ଓ କ୍ରୀଡ଼ାମନ୍ତ୍ରୀଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିବେ । ପିଲାଙ୍କ ଭବିଷ୍ୟତ ଖରାପ ହେଉଛି । ତେଣୁ ସେମାନେ ଏହି ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବା ପାଇଁ ଦାବି ରଖିବେ ବୋଲି ସଞ୍ଜୟ କହିଛନ୍ତି ।
ଏହି ପ୍ରସଙ୍ଗରେ ଗଣମାଧ୍ୟମ ସଂସ୍ଥା ଏଏନଆଇରେ ପ୍ରତିକ୍ରିୟା ରଖି ସଞ୍ଜୟ ତାଙ୍କର ସମ୍ପର୍କ ପୂର୍ବତନ ଅଧ୍ୟକ୍ଷ ବ୍ରିଜଭୂଷଣଙ୍କ ସହ ଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି । ଉଭୟ ଭିନ୍ନ ସମ୍ପ୍ରଦାୟରୁ ଆସନ୍ତି । ସେ କୁସ୍ତି ମହାସଂଘ ଯୁଗ୍ମ-ସମ୍ପାଦକ ଥିବା ସମୟରେ ବ୍ରିଜଭୂଷଣ ସିଂ ସଭାପତି ଥିଲେ । ତେଣୁ କାମକୁ ନେଇ ଉଭୟଙ୍କ ମଧ୍ୟରେ ସହଯୋଗ ରହିବା ସ୍ବାଭାବିକ କଥା । ଏହା ବ୍ୟତୀତ ବ୍ରିଜଭୂଷଣଙ୍କ ସହ ଅନ୍ୟ କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ସଞ୍ଜୟ ।
ସେହିପରି ଆହୁରି ମଧ୍ୟ ସଞ୍ଜୟ କହିଛନ୍ତି, ବ୍ରିଜଭୂଷଣ ସଭାପତି ପଦରୁ ହଟିବା ପରେ କୁସ୍ତିରୁ ସନ୍ନ୍ୟାସ ଘୋଷଣା କରିସାରିଛନ୍ତି । ତାଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିବା ମହିଳା କୁସ୍ତିଯୋଦ୍ଧା ସାକ୍ଷୀ ମଲ୍ଲିକ ମଧ୍ୟ କୁସ୍ତିରୁ ସନ୍ନ୍ୟାସ ଘୋଷଣା କରି ସାରିଛନ୍ତି । ଯଦି ଉଭୟ ସନ୍ନ୍ୟାସ ଘୋଷଣା କରିସାରିଛନ୍ତି, ତେବେ ଉଭୟ ନୂଆ ସଂଘକୁ କାମ କରିବାକୁ ଦିଅନ୍ତୁ । ଯେତେବେଳେ କୌଣସି ଜାତୀୟ ଇଭେଣ୍ଟ୍ ଆରମ୍ଭ ହେବାକୁ ଯାଉଛି, ସେତେବେଳେ ଏପରି ଘଟଣା ପିଲାଙ୍କ ଭବିଷ୍ୟତକୁ ଖରାପ କରିବ । ସେମାନେ ଏହି ପ୍ରସଙ୍ଗ ସରକାରଙ୍କ ନିକଟରେ ରଖିବେ ଓ ନିଲମ୍ବନ ନିଷ୍ପତ୍ତି ପ୍ରତ୍ୟାହାର କରିବା ପାଇଁ ଦାବି କରିବେ ବୋଲି ସଞ୍ଜୟ କହିଛନ୍ତି ।