Rahul Gandhi Conviction stayed: ଆବେଦନକାରୀ କହିଲେ ଆଇନଗତ ଲଢେଇ ଜାରି ରହିବ ନୂଆଦିଲ୍ଲୀ:ମୋଦି ସାଙ୍ଗିଆ ମାନହାନି ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦଣ୍ଡାଦେଶ ଉପରେ ସୁପ୍ରିମକୋର୍ଟ ରୋକ୍ ଲଗାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ଆବେଦନକାରୀ ତଥା ବିଜେପି ବିଧାୟକ ପୁର୍ଣ୍ଣେଶ ମୋଦି । ସେ ସୁପ୍ରିମକୋର୍ଟଙ୍କ ରାୟକୁ ସମ୍ମାନ ଜଣାଇଥିବା ବେଳେ ଏହି ମାମଲାରେ ଆଗାମୀ ଦିନରେ ଆଇନଗତ ଲଢେଇ ଜାରି ରଖିବେ ବୋଲି କହିଛନ୍ତି । ଏହି ମାମଲାରେ ରାହୁଲ ଦୋଷୀ ସାବ୍ୟସ୍ତ ହେବା ପରେ ରଦ୍ଦ ହୋଇଥିଲା ତାଙ୍କ ସାଂସଦ ପଦ ।
ରାୟ ଆସିବା ପରେ ଏ ନେଇ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି ଆବେଦନକାରୀ କହିଛନ୍ତି, "ଗତ ୨୦୧୯ ମସିହାରେ ରାହୁଲ ଗାନ୍ଧୀ ବେଙ୍ଗାଲୁରୁରେ ଏକ ରାଲିରେ ମୋଦି ସାଙ୍ଗିଆକୁ ନେଇ ଆପତ୍ତିନଜକ ମନ୍ତବ୍ୟ ଦେଇଥିଲେ । ସେହି ସମୟରେ ଆମେ ସୁରଟ କୋର୍ଟରେ ଏକ ମାମଲା ରୁଜୁ କରିଥିଲୁ । ଏହି ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇ ତାଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ମିଳିଥିଲା । ଏହାପରେ ସେ ଏହି ରାୟକୁ ଚ୍ୟାଲେଞ୍ଜ କରି ଗୁଜୁରାଟ ହାଇକୋର୍ଟ ଯାଇଥିଲେ । ହାଇକୋର୍ଟ ରାୟ ଆମ ସପକ୍ଷରେ ଯାଇଥିଲେ । ଏହାପରେ ସେ ପୁଣି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟରୁ ଆଜି ରାହୁଲଙ୍କୁ ଆଶ୍ବସ୍ତି ମିଳିଛି । ହେଲେ ଆମେ ଏ ନେଇ ଆଇନଗତ ଲଢେଇ ଜାରି ରଖିବୁ ।"
ଏହା ବି ପଢନ୍ତୁ- Comeback Rahul: ପୁଣି ସଂସଦରେ ଗର୍ଜିବେ ରାହୁଲ, ଫେରିବ ସାଂସଦ ପଦ
ଗୁଜୁରାଟ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ରାହୁଲ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ଏହା ଉପରେ ସ୍ଥଗିତାଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଏହି ରାୟ ପରେ ରାହୁଲଙ୍କ ଲୋକସଭା ସାଂସଦ ବଳବତ୍ତର ରହିବ ବୋଲି ଜଣାପଡ଼ିଛି । ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ରାୟ ଶୁଣାଣି ବେଳେ ୨ ବର୍ଷ ଜେଲଦଣ୍ଡାଦେଶ ଅଧିକ ବୋଲି ଦର୍ଶାଇଥିଲେ । ତେବେ ସୁରଟ କୋର୍ଟ ଓ ଗୁଜୁରାଟ ହାଇକୋର୍ଟ ରାହୁଲଙ୍କ ବିରୋଧରେ କାହିଁକି ୨ ବର୍ଷ ଦଣ୍ଡାଦେଶ ଶୁଣାଇଛନ୍ତି ସେ ସମ୍ପର୍କରେ କୌଣସି କାରଣ ଦର୍ଶାଯାଇନଥିଲା ବୋଲି ଜଷ୍ଟିସ ବି.ଆର ଗଭାଇ, ପି.ଏସ ନରସିଂହ ଓ ସଞ୍ଜୟ କୁମାରଙ୍କ ଖଣ୍ଡପୀଠ କହିଥିଲେ ।
ବେଞ୍ଚ ଆହୁରି କହିଥିଲେ ଯେ ଜଣେ ଜନ ପ୍ରତିନିଧି ଭାବେ ଜନସଭାରେ ଉଦବୋଧନ ଦେବା ସମୟରେ ରାହୁଲଙ୍କୁ ସଞ୍ଜମତା ଓ ସତର୍କ ରହିବାର ଆବଶ୍ୟକତା ଥିଲା । ମାତ୍ର ପରବର୍ତ୍ତୀ ସମୟରେ ମୋଦି ସାଙ୍ଗିଆକୁ ନେଇ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ଲାଗି ରାହୁଲ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ । ହେଲେ ରାହୁଲଙ୍କ ଲାଗି ୱାୟନାଡବାସୀ କଣ ପାଇଁ ଦଣ୍ଡ ଭୋଗିବେ ? ଯେତେବେଳେ ମୌସୁମୀ ଅଧିବେଶନ ଜାରି ରହିଛି ସେମାନଙ୍କ ସମସ୍ୟା କିଏ ସଂସଦରେ ପହଞ୍ଚାଇବ ବୋଲି କହିଥିଲେ ସୁପ୍ରିମକୋର୍ଟ । ଏହାପରେ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଯାଇଛି ।