ନୂଆଦିଲ୍ଲୀ:ମଙ୍ଗଳବାର ରାତିରେ ପାକିସ୍ତାନର ବାଲୁଚିସ୍ତାନରେ ଆତଙ୍କବାଦୀ ସଂଗଠନ ଜୈସ୍-ଅଲ-ଆଦଲ କ୍ୟାମ୍ପରେ ଇରାନ ଏୟାର ଷ୍ଟ୍ରାଇକ କରିଛି । ଏହାପରେ ପାକିସ୍ତାନ ଏବଂ ଇରାନ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ଇରାନର କ୍ଷେପଣାସ୍ତ୍ର ଓ ଡ୍ରୋନ୍ ଆକ୍ରମଣରେ 2 ଶିଶୁଙ୍କ ମୃତ୍ୟୁ ହୋଇଥିବା ପାକିସ୍ତାନ ନିଶ୍ଚିତ କରିଛି । ଏଥିସହ 3 ଜଣ ଆହତ ହୋଇଥିବା କୁହାଯାଉଛି । ଏହି ଆକ୍ରମଣ ପରେ ପାକିସ୍ତାନ କହିଛି ଯେ ଏଥିପାଇଁ ଇରାନକୁ ସାଙ୍ଘାତିକ ପରିଣାମର ସମ୍ମୁଖୀନ ହେବାକୁ ପଡିବ ।
ବର୍ତ୍ତମାନ ଭାରତ ମଧ୍ୟ ଏହି ଘଟଣାରେ ପ୍ରତିକ୍ରିୟା ରଖିଛି । ଏହି ଘଟଣା ଇରାନ ଓ ପାକିସ୍ତାନ ମଧ୍ୟରେ ମାମଲା । ଭାରତ ଏହା ଉପରେ ତୀକ୍ଷ୍ଣ ନଜର ରଖିଛି । ହେଲେ ଭାରତ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳ ନୀତି ଗ୍ରହଣ କରିଆସିଛି । ତେଣୁ ଇରାନର ଏହି ଆକ୍ରମଣକୁ ଇରାନର ଆତ୍ମରକ୍ଷା ଦୃଷ୍ଟିକୋଣରୁ ବିଚାର କରାଯାଉଥିବା ସ୍ପଷ୍ଟ କରିଛି ବିଦେଶ ମନ୍ତ୍ରଣାଳୟ । ବିଦେଶ ବ୍ୟାପାର ପ୍ରବକ୍ତା ରଣଧୀର ଜୈଶଓ୍ବାଲ ବୁଧବାର ଏକ ପ୍ରେସରିଲିଜ ଜାରି କରି ଏହି ମାମଲାରେ ଭାରତର ଆଭିମୁଖ୍ୟ ସ୍ପଷ୍ଚ କରିଛନ୍ତି । ପ୍ରେସରିଲିଜକୁ ଜୈଶଓ୍ବାଲ ମଧ୍ୟ ନିଜ ଏକ୍ସ ହ୍ୟାଣ୍ଡେଲରେ ଟ୍ବିଟ୍ କରିଛନ୍ତି । ତେବେ ଏବେ ଭାରତ ଏହି ଘଟଣାରେ ଭାରସାମ୍ୟ ରକ୍ଷା କରି ଇରାନର ପକ୍ଷ ନେଇଛି ।