ନୂଆଦିଲ୍ଲୀ:ଖଲିସ୍ତାନୀ ଆତଙ୍କବାଦୀ ହରଦ୍ବୀପ ସିଂ ନିଜ୍ଜାରର ହତ୍ୟାକୁ ନେଇ ଭାରତ-କାନାଡା ମଧ୍ୟରେ ଜାରି ରହିଥିବା ବିବାଦ କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ଏହାରି ମଧ୍ୟରେ ବିଭିନ୍ନ ଦେଶ ସେମାନଙ୍କ ଆଭିମୁଖ୍ୟ ସାମ୍ନାକୁ ଆଣିବାରେ ଲାଗିଛି । ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ତଥା କାନାଡା ସଦସ୍ୟ ଥିବା 5-ଆଇଜ୍ ଆଲିଆନ୍ସର ସଦସ୍ୟ ରାଷ୍ଟ୍ର ଆମେରିକାର ଆଭିମୁଖ୍ୟ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି । ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟ୍ଟୀ ଦୋହରାଇଛନ୍ତି ଯେ, ଆମେରିକା ଉଭୟ ଭାରତ ଏବଂ କାନାଡା ସହ ସମ୍ପର୍କକୁ ଗଭୀର ଭାବେ ଚିନ୍ତା କରୁଛି ।
ଏରିକ୍ ଗାର୍ସେଟ୍ଟି କହିଛନ୍ତି,‘‘ ଆମେ ଉଭୟ ଦେଶ ବିଷୟରେ ଚିନ୍ତା କରୁଛୁ । ଆମେ (ଆମେରିକା) ଉଭୟ ଦେଶର ବର୍ତ୍ତମାନ ବିବାଦ ଓ ସମ୍ପର୍କ ବିଷୟରେ ଚିନ୍ତା କରୁଛୁ । ଉଭୟ ଦେଶ ସହ ଆମର ସମ୍ପର୍କ ଅତ୍ୟନ୍ତ ସୁଦୃଢ । ମୁଁ ଭାବୁଛି ଯେ ଆମେ ସମସ୍ତେ ସାର୍ବଭୌମତ୍ବ ଓ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଗମ୍ଭୀରତା ପ୍ରଦର୍ଶନ କରିବାର ଆବଶ୍ୟକତା ରହିଛି । ’’
ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ମାଥ୍ୟୁ ମିଲର କହିଥିଲେ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଦ୍ବାରା କରାଯାଇଥିବା ଅଭିଯୋଗ ନେଇ ଆମେରିକା ଗଭୀର ଚିନ୍ତିତ । ଏସମ୍ପର୍କରେ ଆମେରିକା କାନାଡା ପ୍ରତିପକ୍ଷଙ୍କ ସହ ଯୋଗାଯୋଗରେ ରହିଛି । କାନାଡାର ଏପରି ଗମ୍ଭୀର ଅଭିଯୋଗକୁ ମିଥ୍ଯା, ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି ଭାରତ କହିସାରିଛି । ଏପରି ଅଭିଯୋଗ ସମ୍ପର୍କରେ ପ୍ରମାଣ ମଗାଯାଇଥିଲେ ସୁଦ୍ଧା କାନାଡା ତାହା ଏପର୍ଯ୍ୟନ୍ତ ପ୍ରଦାନ କରିବାରେ ସଫଳ ହୋଇନଥିବା ମଧ୍ୟ ଦିଲ୍ଲୀ କହିଛି ।