ବେଙ୍ଗାଲୁରୁ:ବିଭିନ୍ନ ହାଇକୋର୍ଟରେ ଏବେ ମାମଲା ଗୁଡିକର ଭିଡିଓ କନଫରେନ୍ସିଂ ପ୍ରଣାଳୀରେ ଶୁଣାଣି ଚାଲିଛି । ମାତ୍ର ଶୁଣାଣି ସମୟରେ ଡାଟା ହ୍ୟାକ ହେବାର ଅଭିଯୋଗ ମଧ୍ୟ ଆସିଛି । ତେବେ ଏହି କାରଣରୁ ନ୍ୟାୟିକ ପ୍ରକ୍ରିୟାରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାରକୁ ବାଦ ଦିଆଯାଇ ପାରିବନାହିଁ ବୋଲି କହିଛନ୍ତି ପ୍ରଧାନ ବିଚାରପତି । ଆଜି ବେଙ୍ଗାଲୁରୁରେ କର୍ଣ୍ଣାଟକ ଉଚ୍ଚ ନ୍ୟାୟଳୟ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ ନ୍ୟାୟିକ ପ୍ରକ୍ରିୟାରେ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କିତ ପ୍ରସଙ୍ଗରେ ଏହି ଟିପ୍ପଣୀ ରଖିଛନ୍ତି ।
କର୍ଣ୍ଣାଟକ ଉଚ୍ଚନ୍ୟାୟାଳୟ ଦ୍ବାରା ଆୟୋଜିତ ଇ-ଇନିସିଏଜଟିଭ୍ କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଛନ୍ତି ପ୍ରଧାନ ବିଚାରପତି ଚନ୍ଦ୍ରଚୂଡ କହିଛନ୍ତି, କୋର୍ଟରେ ଭିସି ଯୋଗେ ଶୁଣାଣି ବେଳେ ଡାଟା ହ୍ୟାକ ହେବାର ଅଭିଯୋଗ ରହିଛି । ଆମେ ଏଥିରେ ନିଶ୍ଚିତ ପ୍ରଭାବିତ ହେଉଛୁ । ମାତ୍ର ଆମକୁ ଆଗକୁ ବଢିବାର ଅଛି । ଏହି କାରଣ ପାଇଁ ଆମେ ପ୍ରଯୁକ୍ତିବିଦ୍ୟାର ବ୍ୟବହାରକୁ ବନ୍ଦ କରିପାରିବା ନାହିଁ । ପ୍ରଯୁକ୍ତିବିଦ୍ୟାର ବ୍ୟବହାର ଆମ ବ୍ୟବସ୍ଥାକୁ ଆହୁରି କ୍ରିୟାଶୀଳ କରିପାରିବ । ଯଦି ଏହି କାରଣରୁ ଏପରି ସମସ୍ୟା ସାମ୍ନାକୁ ଆସୁଥାଏ, ତେବେ ଏହାର ସମାଧାନ କରାଯିବ ଉଚିତ୍ ।
ପ୍ରଧାନ ବିଚାରପତି ଆହୁରି ମଧ୍ୟ କହିଛନ୍ତି, ‘‘ଆପଣ ନିଶ୍ଚିତ ଭାବରେ କୋର୍ଟର ଅନଲାଇନ ଭିଡିଓ କନଫରେନ୍ସର କ୍ଲିପ୍ ଦେଖିଥିବେ । ଚଳିତ ବର୍ଷ କର୍ଣ୍ଣାଟକର ନ୍ୟାୟପାଳିକା ଦ୍ୱାରା 1,69,46,085 ମାମଲା ସମାଧାନ ହୋଇଛି । ଯଦି ବିଚାରପତିମାନେ ଅଧିକ ବୈଷୟିକ ଜ୍ଞାନବାନ ହୁଅନ୍ତି, ତେବେ ସେମାନେ ଅଧିକ ପ୍ରଭାବୀ ଭାବେ ଏହାର ସମାଧାନ କରିପାରିବେ । ସେମାନଙ୍କ ଅଧୀନରେ କେତେ ବିଚାରାଧୀନ ମାମଲା ରହିଛି, ତାହା ଉପରେ ସେମାନେ ନଜର ମଧ୍ୟ ରଖିପାରିବେ । କେବଳ କାଗଜ କଲମରୁ ବୈଦ୍ୟୁତିକ ବ୍ୟବସ୍ଥାକୁ ପରିବର୍ତ୍ତନ ନୁହେଁ ବରଂ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା ସାହାଯ୍ୟରେ ଭାରତର ନ୍ୟାୟିକ ବ୍ୟବସ୍ଥାକୁ ଡିଜିଟାଲ ଯୁଗରେ ପହଞ୍ଚାଇବାର ଉଦ୍ଦେଶ୍ୟ ହାସଲ କରାଯିବା ଉଚିତ । କିଛି ବିଚାରପତି ଟେକ୍ନୋଲୋଜି ସମ୍ପର୍କରେ ଜାଣନ୍ତି, ମାତ୍ର ଅନ୍ୟମାନେ ହୁଏତ ଏହା ସମ୍ପର୍କରେ ଅଧିକ ଜାଣିନାହାଁନ୍ତି । ଟେକ୍ନୋଲୋଜି ଆମର ପ୍ରକ୍ରିୟାର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଆମେ ଏହାକୁ ଗ୍ରହଣ କରିବା ଉଚିତ୍ ।’’