ହାଇଦ୍ରାବାଦ:ବାଲେଶ୍ବର ଟ୍ରେନ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପୂର୍ବାହ୍ନରେ ଏକ ହେଲିକପ୍ଟରରେ ମମତା ସିଧା ବାଲେଶ୍ବରରେ ଅବତରଣ କରିଥିଲେ । ପରେ ସେ ସେଠାରୁ ବାହାନଗା ଷ୍ଟେସନ ନିକଟବର୍ତ୍ତୀ ଦୁର୍ଘଟଣାସ୍ଥକୁ ଗସ୍ତ କରିଥିଲେ । ସେଠାରେ ସେ ପୂର୍ବରୁ ସ୍ଥିତି ସମୀକ୍ଷା ଜାରି ରଖିଥିବା ରେଳେ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହ ଆଲୋଚନା କରିଥିଲେ । ଘଟଣା ନେଇ ଶୋକ ପ୍ରକାଶ କରିବା ସହ ମମତା କହିଥିଲେ, କେନ୍ଦ୍ର ସରକାର ପ୍ରତି ମୃତକଙ୍କୁ 10 ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବା ନେଇ ଘୋଷଣା କରିଛନ୍ତି । ପଶ୍ଚିମବଙ୍ଗର ମୃତକଙ୍କୁ ରାଜ୍ୟ ସରକାର 5 ଲକ୍ଷ ଟଙ୍କାର ଅନୁକମ୍ପା ପ୍ରଦାନ କରିବ ।
ମମତା କହିଥିଲେ, ଏହି ମୃତକଙ୍କ ମଧ୍ୟରେ ପଶ୍ଚିମବଙ୍ଗରୁ ଅଧିକ ଯାତ୍ରୀ ରହିଛନ୍ତି । କେନ୍ଦ୍ର ସରକାର ରେଳ ଦୁର୍ଘଟଣାରେ ମୃତାହତଙ୍କୁ 15 ଲକ୍ଷ ଟଙ୍କା ପ୍ରଦାନ କରିଥାଏ । ଏଥର 10 ଲକ୍ଷ ଟଙ୍କା ଘୋଷଣା କରିଛନ୍ତି । ତାଙ୍କ ସରକାର ପ୍ରାଣ ହରାଇଥିବା ବେଙ୍ଗଲବାସୀଙ୍କ ପାଇଁ 5 ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କରୁଛନ୍ତି । ତେବେ ମମତାଙ୍କ ଘୋଷଣା ବେଳେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଉପସ୍ଥିତ ଥିଲେ । ମୃତ୍ୟୁସଂଖ୍ୟା ନେଇ ଉଭୟଙ୍କ ମଧ୍ୟରେ ସାମାନ୍ୟ କଥା କଟାକଟି ମଧ୍ୟ ହୋଇଥିବା ଦେଖିବାକୁ ମିଳିଛି ।
ଗତାକାଲି ସଂଧ୍ୟାରୁ ଜାରି ରହିଥିବା ଉଦ୍ଧାର ଅପରେସନ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ସୁଦ୍ଧା ଏବେ ମଧ୍ୟ ଶେଷ ହୋଇନି । ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଘଟଣାସ୍ଥଳରେ ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ନିର୍ଦ୍ଦେଶ ମିଳିସାରିଥିବା କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ସହ ହସ୍ପିଟାଲରେ ଆହତଙ୍କୁ ଭେଟିଛନ୍ତି । ତାମିଲନାଡୁର ମନ୍ତ୍ରୀ ଉଦୟାନିଧିଙ୍କ ସହ ଏକ ଟିମ ମଧ୍ୟ ଓଡିଶା ଆସୁଛନ୍ତି । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ବାଲେଶ୍ବରରେ ପହଞ୍ଚିଛନ୍ତି । ଏବେ ସୁଦ୍ଧା 261 ଯାତ୍ରୀଙ୍କ ପ୍ରାଣହାନୀ ହୋଇଥିବା ଦକ୍ଷିଣ-ପୂର୍ବ ରେଳବାଇ ପକ୍ଷରୁ ସୂଚନା ମିଳିଛି ।
ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କ ପକ୍ଷରୁ ମୃତକଙ୍କ ପାଇଁ 10 ଲକ୍ଷ ଟଙ୍କାର ସହାୟତା ରାଶି ସହ ଆହତଙ୍କ ପାଇଁ 2 ଲକ୍ଷ ଟଙ୍କାର ସହୟତା ଘୋଷଣା କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନରେ ବାଲେଶ୍ବରରେ ଦୁର୍ଘଟଣାସ୍ଥଳ ପରିଦର୍ଶନ କରିବା ପରେ କିଛି ତତ୍କାଳ ଘୋଷଣା ମଧ୍ୟ କରିପାରନ୍ତି । ଏହି ଦୁର୍ଘଟଣା ସମଗ୍ର ଦେଶକୁ ସ୍ତବ୍ଦ କରିଦେଇଛି । ମୃତ୍ୟୁସଂଖ୍ୟା କ୍ରମାଗତ ବଢିବାରେ ଲାଗିଛି । ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ, ପୋଲିସ, ଅଗ୍ନିଶମ ଓ ମେଡିକାଲ ଟିମ ସହ ବାୟୁସେନା ହେଲିକପ୍ଟର ମଧ୍ୟ ଉଦ୍ଧାର ଅପରେସନ ଜାରି ରଖିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ