କଟକରେ ପହଞ୍ଚିଲେ ମମତା, SCBରେ ଆହତଙ୍କୁ ଭେଟିଲେ କଟକ:କଟକରେ ପହଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବାଲେଶ୍ବର ଟ୍ରେନ ଦୁର୍ଘଟଣାରେ ଆହତ ହୋଇ କଟକ ବଡ ମେଡିକାଲରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିଲେ । ସାଙ୍ଗରେ ଦୁଇ ମନ୍ତ୍ରୀ ମଧ୍ୟ ଓଡିଶା ଆସିଛନ୍ତି । ଉଭୟ ମନ୍ତ୍ରୀ ଭୁବନେଶ୍ବର ଏମ୍ସ ଗସ୍ତ କରିଥିବା ବେଳେ ମମତା କଟକ ଏସସିବିରେ ପହଞ୍ଚିଛନ୍ତି । ଭୁବନଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧା ହେଲିକପ୍ଟର ଯୋଗେ ମମତା କଟକର ରେଭେନ୍ସା ପଡିଆରେ ଅବତରଣ କରିଥିଲେ । ପରେ ସେଠାରୁ ସେ ଏସସିବି ଗସ୍ତ କରିଛନ୍ତି । ଆହତଙ୍କ ଚିକିତ୍ସା ବ୍ୟବସ୍ଥା ତଦାରଖ କରିବା ସହ ମୃତାହତଙ୍କ ସମ୍ପର୍କୀୟଙ୍କୁ ସହାୟତା ରାଶି ଓ ନିଯୁକ୍ତିପତ୍ର ମଧ୍ୟ ଦେବେ ।
ସେହିପରି ଅନ୍ୟ ଦୁଇ ମନ୍ତ୍ରୀ ଏମ୍ସ ଗସ୍ତ କରି ସେଠାରେ ଚିକିତ୍ସାଧୀନ ଥିବା ଆହତଙ୍କ ଅବସ୍ଥା ତଦାରଖ କରିଛନ୍ତି । ଏମ୍ସର ଡାକ୍ତରୀ ଟିମ ସହ ସେମାନେ ଆଲୋଚନା ମଧ୍ୟ କରିଛନ୍ତି । ଦୁର୍ଘଟଣା ପରଦିନ ମଧ୍ୟ ମମତା ବାଲେଶ୍ବର ବାହାନଗାର ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଉଦ୍ଧାର କାର୍ଯ୍ୟ ସମୀକ୍ଷା କରିବା ସହ ସରକାରଙ୍କୁ ଟାର୍ଗେଟ ମଧ୍ୟ କରିଥିଲେ ।
CBI ତଦନ୍ତକୁ ନେଇ ପ୍ରଶ୍ନ ଉଠାଥିଲେ ଦିଦି: ସେହିପରି ସେ ସିବିଆଇ ତଦନ୍ତ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । କହିଛନ୍ତି ସିବିଆଇ ଅପରାଧିକ ମାମଲାର ତଦନ୍ତ କରିଥାଏ । ଏହା ଏକ ଦୁର୍ଘଟଣା ମାମଲା । ଏପରି ସମୟରେ ସତ୍ୟ କ’ଣ, କାହିଁକି ଦୁର୍ଘଟଣା ଘଟିଲା ତାହା ସାମ୍ନାକୁ ଆସିବା ନିହାତି ଆବଶ୍ୟକ । ସେ ରେଳମନ୍ତ୍ରୀ ଥିବା ସମୟରେ ହୋଇଥିବା ଜ୍ଞାନେଶ୍ବରୀ ଏକ୍ସପ୍ରେସ ଦୁର୍ଘଟଣାର ତଦନ୍ତ ସେ ନିଜେ ସିବିଆଇକୁ ଦେବା ପାଇଁ କହିଥିଲେ । ସିବିଆଇ ତଦନ୍ତ ମଧ୍ୟ କଲା, ହେଲେ ଫଳାଫଳ କିଛି ଆସିଲା ନାହିଁ ବୋଲି ମମତା କହିଛନ୍ତି । ଗତକାଲି ପଶ୍ଚିମବଙ୍ଗର କିଛି ମୃତକଙ୍କ ମୃତଦେହ କୋଲକାତାରେ ପହଞ୍ଚିଥିଲା । ଦିଦି ସେମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏବେ ମଧ୍ୟ କିଛି ପଶ୍ଚିମବଙ୍ଗର ଆହତ ଭୁବନେଶ୍ବର ଓ କଟକରେ ଚିକିତ୍ସାଧୀନ ରହିଛନ୍ତି ।
ପୂର୍ବରୁ 3 ଥର ରେଳ ମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବାର ଅଭିଜ୍ଞତା ରଖିଥିବା ମମତା ବାନାର୍ଜୀ ଏହି ଦୁର୍ଘଟଣାର ପ୍ରଥମ ଦିନରୁ ସରକାରଙ୍କୁ ବିଭିନ୍ନ ଦିଗ ନେଇ ଘେରିବାରେ ଲାଗିଛନ୍ତି । ପ୍ରଥମେ ସରକାର ମୃତ୍ୟୁସଂଖ୍ୟା ଲୁଚାଉଥିବା ମମତା ଅଭିଯୋଗ କରିଥିଲେ । ପରେ ଚେନ୍ନାଇ-ହାଓ୍ବଡା ରୁଟ୍ରେ କାହିଁକି ‘କବଚ’ ସିଷ୍ଟମ ନଥିଲା ବୋଲି ପ୍ରଶ୍ନ ଉଠାଇଥିଲେ । ଦୁର୍ଘଟଣା ପର ଦିନ ସିଧା ବାଲେଶ୍ବର ବାହାନଗାର ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଥିଲେ । ଆଜି ପୁଣି ଥରେ କଟକ ଗସ୍ତ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ