ବେଙ୍ଗାଲୁରୁ:ଭାରତରେ ବିଭିନ୍ନ ଧର୍ମାଲମ୍ବୀ ଲୋକ ରହୁଥିବାବେଳେ ସେମାନଙ୍କ ପରମ୍ପରା, ରୀତିନୀତି ମଧ୍ୟ ସ୍ବତନ୍ତ୍ର ହୋଇଥାଏ । କିଛି ମନ୍ଦିରରେ ରୀତିନୀତି ସାଧାରଣ ହୋଇଥିବାବେଳେ ଆଉ କିଛି ରୀତିନୀତିରେ ସମ୍ପୂର୍ଣ୍ଣ ଅଲୌକିକତା ଭରି ରହିଥାଏ । ଏଭଳି କିଛି ଅଲୌକିଭରା ପରମ୍ପରା କର୍ଣ୍ଣାଟକ ଉତ୍ତର କନ୍ନଡ ଜିଲ୍ଲାର କାମାକ୍ଷୀ ଦେବୀ ମନ୍ଦିରରେ ଦେଖିବାକୁ ମିଳିଛି । ଯେଉଁ ପରମ୍ପରା ମୁତାବକ ଶ୍ରଦ୍ଧାଳୁମାନେ ଗରମ ତେଲ କଢେଇରୁ ଖାଲି ହାତରେ ବାହାର କରିଥାନ୍ତି ମା'ଙ୍କ ନିକଟରେ ଲାଗି ହେଉଥିବା ପ୍ରସାଦ 'ବଡ଼ା' । ମନ୍ଦିରର ଏହି ରୀତିନୀତିକୁ କୁହାଯାଏ "ବଡା ହନ୍ନିମ ଯାଥ୍ରେ" ।
ଏହି ପର୍ବଟି ମନ୍ଦିରରେ ପ୍ରତିବର୍ଷ ୧୫ ଦିନ ଧରି ପାଳନ ହୋଇଥାଏ । ଏହି ରୀତିନୀତିର ଶେଷ ଦିନ ତଥା ଆଶ୍ବିନ ମାସର ପୂର୍ଣ୍ଣିମା ଦିନ "ବଡା ହନ୍ନିମ ଯାଥ୍ରେ" ନୀତିଟି ପାଳନ କରାଯାଏ । ଶେଷ ଦିନ ଶ୍ରଦ୍ଧାଳୁମାନେ ମାନସିକ କରି ଏହି ନୀତିରେ ଅଂଶଗ୍ରହଣ କରନ୍ତି । ଗରମ କଢେଇରୁ ଶ୍ରଦ୍ଧାଳୁମାନେ ବଡା ବାହାର କରିବା ପରେ ତାହାକୁ ମା'ଙ୍କ ନିକଟରେ ଭୋଗ ଲଗାଯାଏ । ତେବେ ଏପରି କଲେ ଭକ୍ତଙ୍କ ମନଇଚ୍ଛା ପୂରଣ ହୁଏ ବୋଲି ରହିଛି ବିଶ୍ବାସ ।