ନୂଆଦିଲ୍ଲୀ:କଂଗ୍ରେସରୁ ଇସ୍ତଫା ଦେଇ ଚର୍ଚ୍ଚାରେ ଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କଂଗ୍ରେସ ଛାଡିବା ସମ୍ପର୍କରେ ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି । ସେ ନିଜ ଇଚ୍ଛାରେ ଦଳ ଛାଡି ନାହାନ୍ତି ବରଂ ତାଙ୍କୁ ଦଳ ଛାଡିବା ପାଇଁ ବାଧ୍ୟ କରାଯାଇଛି । ଆଜି ଗଣମାଧ୍ୟମକୁ ସୂଚନା ଦେଇ ଆଜାଦ କହିଛନ୍ତି । ଅନ୍ୟପଟେ ବିଜେପିର ନିକଟବର୍ତ୍ତୀ ହେଉଥିବା କଥାକୁ ମଧ୍ୟ ପରୋକ୍ଷରେ ଖଣ୍ଡନ କରିବା କରିବା ସହ ଆଜାଦ କହିଛନ୍ତି, ‘‘ମୋଦି କେବଳ ଏକ ବାହାନା, ଯେବେ ଠାରୁ ମୁଁ ହାଇକମାଣ୍ଡଙ୍କୁ ଜି-23 ଚିଠି ଲେଖିଛି, ସେବେଠାରୁ ମୁଁ ବିବାଦରେ ରହି ଆସିଛି । ସେମାନଙ୍କୁ କେହି ଚିଠି ଲେଖି ପ୍ରଶ୍ନ କରୁ ସେମାନେ ଚାହାନ୍ତି ନାହଁ ।’’ ଏକାଧିକ ଦଳୀୟ ବୈଠକ ହୋଇଛି, କିନ୍ତୁ କୌଣସି ଗୋଟିଏ କାର୍ଯ୍ୟପନ୍ଥା କିମ୍ବା ନିଷ୍ପତ୍ତି ଗ୍ରହଣ କରାଯାଇ ପାରିନାହିଁ ବୋଲି ଆଜାଦ କହିଛନ୍ତି ।
ଘର ଛାଡିବାକୁ ବାଧ୍ୟ କରାଗଲା:-
କଂଗ୍ରେସ ଛାଡିବା ପ୍ରଶ୍ନରେ ଆଜାଦ କହିଛନ୍ତି ଯେ ନିଜେ ଘରୁ କିଏ ବାହାରି ଯିବାକୁ ଚାହାନ୍ତି ନାହିଁ । ମୋର ପରିବାର ସଦସ୍ୟ ମୋତେ ଘର ଛାଡିବାକୁ ବାଧ୍ୟ କରିଥିଲେ । ଯେତେବେଳେ ପରିବାରର ଅନ୍ୟ ସଦସ୍ୟମାନେ ଅନୁଭବ କରନ୍ତି ଯେ ଏହି ବ୍ୟକ୍ତିଙ୍କର ଆବଶ୍ୟକତା ନାହିଁ, ସେତେବେଳେ ଆମକୁ ପର ବୋଲି ବିବେଚନା କରାଯାଏ । ସେତେବେଳେ ଘର ଛାଡିବାକୁ ବାଧ୍ୟ ହେବାକୁ ପଡିଥାଏ ।