ନୂଆଦିଲ୍ଲୀ:ଦେଶବାସୀ ସ୍ବାଧୀନତାର ଅମୃତ ମହୋତ୍ସବକୁ ଉତ୍ସାହର ସହ ପାଳନ କରୁଛନ୍ତି । ସମସ୍ତେ ଆସନ୍ତାକାଲି ସ୍ୱାଧୀନତା ଦିବସକୁ ଉତ୍ସାହର ସହ ପାଳନ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହା ମୋତେ ମୋର ପିଲାଦିନକୁ ମଧ୍ୟ ମନେ ପକାଇ ଦେଉଛି । ସ୍ବାଧୀନତା ଦିବସର ଏହି ଉତ୍ସାହ ଆମ ଭିତରେ ଏହି ଭାବନା ସୃଷ୍ଟି କରିଛି ଯେ, ଆମେ ବିଶ୍ବର ସବୁଠୁ ବଡ ସମୂଦାୟର ନାଗରିକ । ଜାତି,ଧର୍ମ, ପରିବାର ନିର୍ବିଶେଷରେ ଆମ ପରିଚୟ ଭାରତୀୟ । ଆଜି (ସୋମବାର) 77ତମ ସ୍ବାଧୀନତା ଦିବସ ପୂର୍ବ ସଂଧ୍ୟାରେ ଦେଶକୁ ସମ୍ବୋଧିତ କରି ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ରାଷ୍ଟ୍ରପତି ଦେଶବାସୀଙ୍କୁ ସ୍ବାଧୀନତା ଦିବସର ଶୁଭେଚ୍ଛା ସହ ବିଭିନ୍ନ କ୍ଷେତ୍ରରେ ଦେଶର ବିକାଶ, ନାରୀ ସଶକ୍ତିକରଣ, ଜଳବାୟୁ ପରିବର୍ତ୍ତନ, ବିବିଧ ସଂସ୍କୃତି, ଅର୍ଥବ୍ୟବସ୍ଥା ଓ ମହାକାଶ ଗବେଷଣା କ୍ଷେତ୍ରରେ ଦେଶ ହାସଲ କରିଥିବା ଉପଲବ୍ଧିକୁ ପ୍ରଶଂସା କରିଛନ୍ତି ।
ରାଷ୍ଟ୍ରପତି କହିଛନ୍ତି, ‘‘ସ୍ବାଧୀନତା ଦିବସ ଏହା ଆମକୁ ମନେ ପକାଏ ଯେ, ଆମେ ବିଶ୍ବର ଏକ ମହାନ ଜନ ସମୂହର ଅଂଶ । ଆମ ସ୍ବାଧୀନତା ସଂଗ୍ରାମ ବେଶ ସୁଦୃଢ । ଆମ ସ୍ବାଧୀନତାର ସଂଗ୍ରାମର ମୂଳମନ୍ତ୍ର ସମଗ୍ର ବିଶ୍ବରେ ଅନୁସରଣୀୟ ହୋଇଛି । ସ୍ବାଧୀନତା ଆନ୍ଦୋଳନରେ ବହୁ ନାରୀ ସଂଗ୍ରାମୀଙ୍କର ଅବଦାନ ରହିଛି ।ସ୍ବାଧୀନତା ପ୍ରାପ୍ତି ପରେ ଆମେ ଅନେକ ରାସ୍ତା ଅତିକ୍ରମ କରିଛୁ । ଆମକୁ ନାରୀ ସଶକ୍ତୀକରଣକୁ ବିଶେଷ ଦୃଷ୍ଟି ଦେବାକୁ ହେବ । ଆମ ଦେଶର ନାରୀ ସମସ୍ତ ଆହ୍ବାନକୁ ଅତିକ୍ରମ କରି ଆଗକୁ ବଢିବାର ଆବଶ୍ୟକତା ରହିଛି । ସେମାନେ ଏବେ ସମସ୍ତ କ୍ଷେତ୍ରରେ ସକ୍ରିୟତାର ସହ ଅଂଶଗ୍ରହଣ କରି ଦେଶର ଗୌରବ ବଢାଇବାରେ ଲାଗିଛି ।’’