ନୂଆଦିଲ୍ଲୀ:କୁସ୍ତିଯୋଦ୍ଧାମାନେ ସଂଘ ମୁଖ୍ୟଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଓ କାର୍ଯ୍ୟାନୁଷ୍ଠାନ ଦାବିରେ ଜାରି ରଖିଥିବା ପ୍ରତିବାଦ ପ୍ରସଙ୍ଗରେ ସରକାରଙ୍କ ପକ୍ଷରୁ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏହା ରାଜନୀତି କରିବାର ବିଷୟ ନୁହେଁ, ସେମାନଙ୍କର ଅଭିଯୋଗକୁ ଗ୍ରହଣ କରାଯାଇଛି । ତଦନ୍ତ ପାଇଁ ଏକ କିମିଟି ମଧ୍ୟ ଗଠନ କରାଯାଇଛି । ଦିଲ୍ଲୀ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଏପରି ସ୍ଥିତିରେ ତଦନ୍ତ ଶେଷ ହେବା ଯାଏଁ, କୁସ୍ତିଯୋଦ୍ଧାମାନେ ଅପେକ୍ଷା କରିବା ଉତିତ ବୋଲି କହିଛନ୍ତି କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ଠାକୁର ।
କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ଏହି ପ୍ରସଙ୍ଗରେ କୁସ୍ତିଯୋଦ୍ଧାଙ୍କୁ ପୋଲିସ ଓ ତଦନ୍ତରେ ବିଶ୍ବାସ ରଖିବାକୁ ହେବ । ତଦନ୍ତର ପରିସମାପ୍ତି ପରେ ଯଦି ସେମାନେ ସନ୍ତୋଷ ଅନୁଭବ ନକରନ୍ତି, ତେବେ ପ୍ରତିବାଦ କରିପାରନ୍ତି । ହେଲେ ଏହି ଆନ୍ଦୋଳନ ଅନ୍ୟ କ୍ରୀଡାବିତ୍ଙ୍କ ଉପରେ କୁପ୍ରଭାବ ନପକାଉ, ସେମାନେ ଏଥିପ୍ରତି ଧ୍ୟାନ ଦେବା ଉଚିତ୍ । ସେମାନେ ପ୍ରଥମେ ଏହାକୁ ନେଇ ରାଜନୀତି କରିବେ ନାହିଁ ବୋଲି କହିଲେ, ହେଲେ ପରବର୍ତ୍ତୀ ସମୟରେ ଏକାଧିକ ରାଜନୈତିକ ଦଳର ନେତା ଧାରଣା ସ୍ଥଳରେ ପହଞ୍ଚିଲେ । ମୋଦି ସରକାର ପୂର୍ବ ସରକାର ତୂଳନାରେ କ୍ରୀଡାବିତଙ୍କ ପାଇଁ ଅଧିକ ଅର୍ଥ ବରାଦ କରୁଛନ୍ତି । ସେମାନଙ୍କ ପାଇଁ ଅଧିକ ଭିତ୍ତିଭୂମିର ସୃଷ୍ଟି କରାଯାଉଛି ବୋଲି ମଧ୍ୟ ଅନୁରାଗ କହିଛନ୍ତି ।