ନୂଆଦିଲ୍ଲୀ: ଆସନ୍ତାକାଲି (ସୋମବାର) ଠାରୁ ଆରମ୍ଭ ହେବାକୁ ଯାଉଛି ସଂସଦର ବଜେଟ ଅଧିବେଶନ । ତେବେ ଆଜି ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କ ସହ ବଜେଟ ଅଧିବେଶନ ପ୍ରସ୍ତୁତି ସମୀକ୍ଷା କରିଛନ୍ତି । ଆଜି (ରବିବାର) ସଂନ୍ଧ୍ୟାରେ ଏହି ପ୍ରସ୍ତୁତି ସମୀକ୍ଷା ବୈଠକ ଉପରାଷ୍ଟ୍ରପତିଙ୍କ ସରକାରୀ ବାସଭବନରେ ପ୍ରାୟ ୪୦ ମିନିଟ ଧରି ଅନୁଷ୍ଠିତ ହୋଇଛି । ନିକଟରେ କୋଭିଡ ପଜିଟିଭ ହୋଇ ସୁସ୍ଥ ହୋଇଥିବା ଉପରାଷ୍ଟ୍ରପତିଙ୍କ ଏହା ପ୍ରଥମ ସମୀକ୍ଷା ବୈଠକ ।
ଜାରି ରହିଥିବା କୋଭିଡର ତୃତୀୟ ଲହର ମଧ୍ୟରେ ଏହି ଗୁରୁତ୍ବପୂର୍ଣ୍ଣ ବଜେଟ ଅଧିବେଶନ ହେବାକୁ ଯାଉଛି । ଗୃହ ମଧ୍ୟରେ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କରାଯାଇଛି ଏବଂ ଉଭୟ ଲୋକସଭା ଏବଂ ରାଜ୍ୟସଭା ପାଇଁ ସଂସଦର ସମୟ ସ୍ଥିର ହୋଇଛି । ରାଜ୍ୟସଭା ସକାଳ ୧୦ ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ଥିବାବେଳେ ନିମ୍ନ ସଦନ ଲୋକସଭା ଅପରାହ୍ନ ୪ଟାରୁ ରାତି ୯ ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ ।
ସୋମବାର (ଆସନ୍ତାକାଲି) ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହକୁ ସମ୍ବୋଧିତ କରିବେ ଏବଂ ମଙ୍ଗଳବାର କେନ୍ଦ୍ର ବଜେଟ୍ ଉପସ୍ଥାପିତ ହେବ । ଆଜିର ବୈଠକରେ,ଭିଡ଼ ଏଡାଇବା ସହ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଉଭୟ ଗୃହର ସଦସ୍ୟମାନେ ଭିନ୍ନଭିନ୍ନ ସ୍ଥାନରେ ନାମ ଅନୁସାରେ ବସିବାର ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ଦେଇଥିଲେ ଲୋକସଭା ବାଚସ୍ପତି ଓମ ବିର୍ଲା । ତେବେ ଉକ୍ତ ପ୍ରସ୍ତାବକୁ ଉପରାଷ୍ଟ୍ରପତିଙ୍କ ପକ୍ଷରୁ ସ୍ବାଗତ ମଧ୍ୟ କରାଯାଇଥିଲା ।