ନୂଆଦିଲ୍ଲୀ:ରାଜ୍ୟସଭାରେ ପାରିତ ହେଲା ମହିଳା ସଂରକ୍ଷଣ ବିଲ ‘ନାରୀଶକ୍ତି ବନ୍ଦନ ଅଧିନିୟମ’ । ଆଜି ପୂର୍ବାହ୍ନରେ ଆଗତ ହୋଇ ପରେ ଦିନ ତମାମ ଚର୍ଚ୍ଚା ପରେ ରାତିରେ ଭୋଟିଂ ମାଧ୍ୟମରେ ଏହି ବିଲ୍ ଉଚ୍ଚସଦନରେ ପାରିତ ହୋଇଛି । ସପକ୍ଷରେ ମୋଟ 215 ସଦସ୍ୟ ମତଦାନ କରିଛନ୍ତି । ବିଲ ବିପକ୍ଷରେ କୌଣସି ଭୋଟ ପଡିନି । ଆଜି ଚର୍ଚ୍ଚାର ଶେଷରେ ପ୍ରଧାନମନ୍ତ୍ରୀ ଅଂଶଗ୍ରହଣ କରି ବକ୍ତବ୍ୟ ରଖିଥିଲେ । ଏହାକୁ ଐତିହାସିକ ବୋଲି କହି ସ୍ବଚ୍ଛତାର ସହ ଭୋଟିଂ ହେବା ନେଇ ଆଶାବ୍ୟକ୍ତ କରିଥିଲେ ।
ତେବେ ଗତକାଲି ଲୋକସଭାରେ ପାରିତ ହୋଇଥିବା ଏହି ବିଲ ସଂସଦ ସ୍ବତନ୍ତ୍ର ଅଧିବେଶନର 4ର୍ଥ ଦିନରେ ଆଜି ରାଜ୍ୟସଭାରେ ମଧ୍ୟ ପାରିତ ହୋଇଛି । କ୍ରମାଗତ ଦୁଇଦିନରେ ସଂସଦର ଉଭୟ ସଦନରେ ଏହା ପାରିତ ହେବା ପରେ ଆଇନରେ ପରିଣତ ହେବାକୁ ଯାଉଛି । ସଂସଦ ସଚିବାଳୟ ଏହି ପାରିତ ବିଲକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଇବ । ଏହି ଅଧିନିୟମ ଅନୁସାରେ, ରାଜ୍ୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ମହିଳାଙ୍କୁ ମୋଟ ଆସନର ଏକ-ତୃତୀୟାଂଶ ବା 33 ପ୍ରତିଶତ ଆସନ ସଂରକ୍ଷଣ ମିଳିବ ।
18 ତାରିଖରେ ସଂସଦ ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବା ପରେ 19 ତାରିଖରେ ‘ନାରୀଶକ୍ତି ବନ୍ଦନ ଅଧିନିୟମ’ ନିମ୍ନସଦନ ଲୋକସଭାରେ ଆଗତ ହୋଇଥିଲା । 20 ତାରିଖରେ (ଗତକାଲି) ଚର୍ଚ୍ଚା ପରେ ସଂଧ୍ୟାରେ ଭୋଟିଂ ହୋଇଥିଲା । ବିଲ୍ ସପକ୍ଷରେ ମୋଟ 454 ଭୋଟ ଓ ବିପକ୍ଷରେ ମାତ୍ର 2ଟି ଭୋଟ ପଡିଥିଲା । ତେବେ ଆଜି ରାଜ୍ୟସଭାରେ ଆଗତ ହେବା ସହ ଚର୍ଚ୍ଚା ହୋଇଥିଲା । ଶେଷରେ ମୋଟ 215 ଜଣ ସାଂସଦ ଭୋଟିଂରେ ଅଂଶଗ୍ରହଣ କରିଥିଲେ । ଗୃହରେ ଉପସ୍ଥିତ ସମସ୍ତ ସାଂସଦ ବିଲ ସପକ୍ଷରେ ଭୋଟ ଦେଇଥିବା ବେଳେ କୌଣସି ଭୋଟ ବିଲ ବିରୋଧରେ ପଡିନଥିଲା ।