ହାଇଦ୍ରାବାଦ:ଉତ୍ତରପ୍ରଦେଶର ମୈନପୁରୀ ଲୋକସଭା ଆସନ ଏବଂ 5 ରାଜ୍ୟର 6 ବିଧାନସଭା ଆସନରେ ଆଜି (ସୋମବାର) ମତଦାନ ଆରମ୍ଭ ହୋଇଛି । ସମାଜବାଦୀ ପାର୍ଟି (ଏସପି)ର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ ପରେ ଖାଲି ପଡିଥିବା ମୈନପୁରୀ ଆସନରେ ସପା ଓ ବିଜେପି ମଧ୍ୟରେ କଡ୍ଡା ମୁକାବିଲା ହୋଇଛି । ଏହାଛଡା ୟୁପି ରାମପୁର ସଦର ଓ ଖତୌଲି, ଓଡିଶାର ପଦ୍ମପୁର, ରାଜସ୍ଥାନର ସରଦାରଶହର, ବିହାରର କୁଢନୀ ଏବଂ ଛତିଶଗଡରେ ଭାନୁପ୍ରତାପପୁର ବିଧାନସଭା ଆସନରେ ଉପନିର୍ବାଚନ ନେଇ ଭୋଟିଂ ଆରମ୍ଭ ହୋଇଛି । ଏହି ଉପନିର୍ବାଚନର ଫଳାଫଳ ଡିସେମ୍ବର 8ରେ ପ୍ରକାଶ ପାଇବ ।
ଉତ୍ତରପ୍ରଦେଶର ରାମପୁର ସଦର ଖତୌଲି ବିଧାନସଭା ଆସନ ଏବଂ ମୈନପୁରୀ ଲୋକସଭା ଆସନରେ ଉପନିର୍ବାଚନରେ ଭାଜପା ଏବଂ ସପା ମଧ୍ୟରେ ମୁକାବିଲା ହେବ । ବସପା ଏବଂ କଂଗ୍ରେସ ଏହି ଆସନରେ ନିର୍ବାଚନ ଲଢୁନାହାନ୍ତି । ୟୁପି ଉପନିର୍ବାଚନରେ 24.43 ଲକ୍ଷ ଜନତା ମତଦାନ ସାବ୍ୟସ୍ତ କରିବେ । ଯେଉଁଥିରେ 13.14 ଲକ୍ଷ ପୁରୁଷ ମତଦାତା ଥିବାବେଳେ 11.29 ଲକ୍ଷ ମହିଳା ଭୋଟର ରହିଛନ୍ତି । ଏହା ସହିତ 132 ସମଲିଙ୍ଗୀ ଭୋଟର ରହିଛନ୍ତି । ସମୁଦାୟ 1,945 ମତଦାନ କେନ୍ଦ୍ରରେ 3 ହଜାର 062 ବୁଥରେ ଭୋଟ ଗ୍ରହଣ ହେଉଛି । ସକାଳ 7ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି ।
ସମାଜବାଦୀ ପାର୍ଟି (ଏସପି)ର ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ ପରେ ମୈନପୁରୀ ଲୋକସଭା ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ମୈନପୁରୀ ଆସନରେ ମୁଲାୟମ ସିଂହ ଯାଦବଙ୍କ ବୋହୂ ତଥା ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ମଇଦାନକୁ ଓହ୍ଲାଇଛନ୍ତି । ମୈନପୁରୀ ନିର୍ବାଚନ କ୍ଷେତ୍ରରେ ମୋଟ 6 ପ୍ରାର୍ଥୀ ନିର୍ବାଚନ ମଇଦାନରେ ରହିଛନ୍ତି ଯେଉଁଥିରେ 2ଜଣ ମହିଳା ଆଶାୟୀ ରହିଛନ୍ତି । ୟୁପିର ରାମପୁର ସଦର ଆସନରେ ଆଜମ ଖାନ ସାମାଜବାଦୀ ପାର୍ଟିରୁ ବିଧାୟକ ଥିଲେ । ତାଙ୍କ ବିଧାନସଭା ସଦସ୍ୟତା ରଦ୍ଦ ହୋଇଯାଇଥିଲା । ଖତୌଲି ଆସନରେ 14 ଓ ରାମପୁର ସଦର ଆସନରେ 10 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର । ଖତୌଲି ଆସନରେ 4 ମହିଳା ପ୍ରାର୍ଥୀ ରହିଛନ୍ତି ।
ରାଜସ୍ଥାନର ସରଦାରଶହର ଆସନରେ କଂଗ୍ରେସ ବିଧାୟକ ଭମ୍ବର ଲାଲ ଶର୍ମାଙ୍କ କବଜା ଥିଲା । ଗତ ଅକ୍ଟୋବର 9 ତାରିଖରେ ସ୍ବାସ୍ଥ୍ୟଗତ ସମସ୍ୟା ପାଇଁ ତାଙ୍କର ଦେହାନ୍ତ ହୋଇଥିଲା । ଏନେଇ ସେଠାରେ ଉପନିର୍ବାଚନ ଅନୁଷ୍ଠିତ ହୋଇଛି । ଭମ୍ବର ଲାଲ ଶର୍ମାଙ୍କ ପୁଅ ଅନୀଲ କୁମାର ମଇଦାନକୁ ଓହ୍ଲାଇଛନ୍ତି । ପୂର୍ବ ବିଧାୟକ ଅଶୋକ କୁମାର ଭାଜପା ପ୍ରାର୍ଥୀ ହୋଇଛନ୍ତି । ଏହାଛଡା ଏହି ଆସନରେ 8ଜଣ ଅନ୍ୟ ପ୍ରାର୍ଥୀ ମଇଦାନରେ ଅଛନ୍ତି ।
BJD ବିଧାୟକଙ୍କ ନିଧନ ପରେ ଖାଲି ପଡିଛି ପଦ୍ମପୁର ଆସନ....