ଥିରୁଅନନ୍ତପୁରମ:ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ ଭୋଟ ଗଣତି ପ୍ରକ୍ରିୟା । କେରଳ ବିଧାନସଭାର 140ଟି ଆସନ ପାଇଁ ଚାଲିଥିବା ନିର୍ବାଚନର ଆଜି ଆସିବ ଫଳ । କେରଳରେ କେଉଁ ସରକାର ଶାସନ ଭାର ଗ୍ରହଣ କରିବ ଆଉ କିଛି ସମୟ ପରେ ତାହା ସ୍ପଷ୍ଟ ହେବାକୁ ଯାଉଛି । ଯାହାକୁ ନେଇ ଉତ୍କଣ୍ଠାରେ ଚାହିଁ ବସିଛନ୍ତି ଉଭୟ ପ୍ରାର୍ଥୀ ଓ ରାଜ୍ୟବାସୀ । ତେବେ ଗତ ଏପ୍ରିଲ 6 ତାରିଖରେ ଗୋଟିଏ ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯାଇଥିବା ବେଳେ ଆଜି(ରବିବାର) ଫଳାଫଳ ଆସିବାକୁ ଯାଉଛି ।
ରାଜ୍ୟରେ ସିପିଏମ ନେତୃତ୍ବାଧୀନ LDFର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଓ କଂଗ୍ରେସର ସି.ରଘୁନାଥ, ବିଜେପିର ସି.କେ ପଦ୍ମନାଭନ, ସିପିଏମର କେ.କେ ଶୈଳଜା ଓ କେ,ଟି ଜଲିଲ୍, କଂଗ୍ରେସର ଉମେନ ଚାଣ୍ଡି ଓ ରମେଶ ଚେନ୍ନିଥାଲା ଓ ବିଜେପିର ଇ. ଶ୍ରୀଧରନ ଓ କେ.ସୁରେନ୍ଦ୍ରନ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ କଡା ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ତେବେ ପ୍ରୀ-ପୋଲ ଓ ପୋଷ୍ଟ-ପୋଲ ଫଳାଫଳ ଅନୁସାରେ ସିପିଏମ ନେତୃତ୍ବାଧୀନ ଏଲଡ଼ିଏଫ ଦ୍ବିତୀୟ ଥର ଐତିହାସିକ ବିଜୟ ଲାଭ କରିବାକୁ ଯାଉଛି । ତେବେ ପୂର୍ବରୁ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଏଲଡିଏଫ ନିଶ୍ଚିତ ଭାବେ ଦ୍ବିତୀୟ ଥର ପାଇଁ ଐତିହାସିକ ବିଜୟ ହାସଲ କରିବ ବୋଲି କହିଥିବା ବେଳେ ନିର୍ବାଚନ ଫଳାଫଳକୁ ଅପେକ୍ଷା କରିବାକୁ ସେ କହିଥିଲେ ।
ସେପଟେ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ ଏକ୍ସିଟ ପୋଲକୁ ଭୁଲ ଦର୍ଶାଇଥିବା ବେଳେ ସେ ପୁନର୍ବାର ଗାଦିକୁ ଫେରିବେ ବୋଲି ଦୃଢୋକ୍ତି ଦେଇଛି । ରାଜ୍ୟରେ ଏକ୍ସିଟ ପୋଲ ସଠିକ ଆସେ ନାହିଁ ବୋଲି ଐତିହାସିକ ରେକର୍ଡ ରହିଛି ବୋଲି କଂଗ୍ରେସ ନେତା ରମେଶ ଚେନ୍ନିଥାଲା କହିଛନ୍ତି । ଅନ୍ୟପଟେ ବିଜେପି ନେତୃତ୍ବାଧୀନ ଏନଡିଏ ଚଳିତ ନିର୍ବାଚନରେ ବିଜୟୀ ଲାଭ କରିବ ବୋଲି ମଧ୍ୟ ଆଶା ରଖିଛି ।