ନୂଆଦିଲ୍ଲୀ:ନୂଆବର୍ଷ ପୂର୍ବରୁ ରାଜଧାନୀ ଦିଲ୍ଲୀ କଞ୍ଝୱାଲାରେ ଘଟିଥିଲା କାର ଦୁର୍ଘଟଣା । ଏହି ଘଟଣାକୁ ୧ ମାସ ବିତିଯାଇଥିବା ବେଳେ ଗୋଟିଏ ପରେ ଗୋଟିଏ ଖୁଲାସା ଜାରି ରହିଛି । ଏହି ଘଟଣାରେ ମୃତ୍ୟୁବରଣ କରିଥିବା ଅଞ୍ଜଳି ଦୁର୍ଘଟଣା ବେଳେ ମଦ୍ୟପାନ କରିଥିବା ଅର୍ଥାତ ନିଶାସକ୍ତ ଥିବା ଭିସେରା ରିପୋର୍ଟରୁ ସ୍ପଷ୍ଟ ହୋଇଛି । ଅଞ୍ଜଳି ଦୁର୍ଘଟଣା ବେଳେ ମଦ୍ୟପାନ କରିଥିଲେ ବୋଲି ତାଙ୍କ ବନ୍ଧୁ ଅଭିଯୋଗ କରିଆସୁଥିଲେ । ଯାହାକି ରିପୋର୍ଟରୁ ସତ ପ୍ରମାଣିତ ହୋଇଛି । ଏନେଇ ଦିଲ୍ଲୀ ପୋଲିସ ଦ୍ବାରା ସୂଚନା ଦିଆଯାଇଛି ।
ଏହା ପୂର୍ବରୁ ବ୍ୟବଚ୍ଛେଦ ରିପୋର୍ଟରୁ ଦର୍ଶାଯାଇଥିଲା ଯେ ଅଞ୍ଜଳି ଦୁର୍ଘଟଣା ବେଳେ ନିଶାସକ୍ତ ନଥିଲେ । ହେଲେ ଏବେ ଭିସେରା ରିପୋର୍ଟ ଭିନ୍ନ ଆସିଛି । ବାରମ୍ବାର ଅଞ୍ଜଳିଙ୍କ ପରିବାର ପକ୍ଷରୁ ହତ୍ୟା କରାଯାଇଥିବା ଅଭିଯୋଗ ହେବା ପରେ ୫ ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ମଧ୍ୟ ରୁଜୁ କରାଯାଇଥିଲା । ଏହି ଘଟଣା ନେଇ ଦିଲ୍ଲୀ ମହିଳା ଆୟୋଗ ପୋଲିସର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଥିବା ବେଳେ ମହିଳାଙ୍କ ସୁରକ୍ଷା ଉପରେ ଚିନ୍ତା ପ୍ରକଟ କରିଥିଲେ । ଅଞ୍ଜଳିଙ୍କ ମୃତ୍ୟୁ ପରେ ପରିବାରକୁ କ୍ଷତିପୂରଣ ସ୍ବରୁପ ୧୦ ଲକ୍ଷ ଟଙ୍କା ଦିଆଯାଇଥିଲା ।