ଭୋପାଳ: ବିବାହ ପୂର୍ବରୁ କୁମାରୀତ୍ବ ପରୀକ୍ଷା ସହ ପ୍ରେଗ୍ନେନ୍ସି ଟେଷ୍ଟ କରାଇ ବିବାହ ମଣ୍ଡପରୁ ଫେରିଲେ ଅନେକ ଯୁବତୀ । ଏପରି କରିବା ଆଇନ ସଙ୍ଗତ ନଥିବା ସତ୍ତ୍ବେ ମଧ୍ୟପ୍ରଦେଶ ଡିଣ୍ଡୋରି ଜିଲ୍ଲାରେ ଏପରି ଘଟଣା ଘଟିଛି । ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନାରେ ଫର୍ମ ଭରି ବିବାହ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ପହଞ୍ଚିଥିବା ଅନେକ ଯୁବତୀଙ୍କୁ ଘରକୁ ଫେରିବାକୁ ପଡ଼ିଛି । ଭର୍ଜିନିଟି ଟେଷ୍ଟ ପଜିଟିଭ ଆସିବା ପରେ ତାଙ୍କ ନାମକୁ ହଟାଇ ଦିଆଯାଇଛି । ଯାହାକୁ ଦୃଢ ବିରୋଧ କରିଛନ୍ତି ସ୍ଥାନୀୟ କଂଗ୍ରେସ ବିଧାୟକ ତଥା ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଓମକାର ମରକାମ । ରାଜ୍ୟ ସରକାର ଏପରି କରି ମହିଳାଙ୍କୁ ଅପମାନିତ କରିଥିବା ସେ କହିଛନ୍ତି ।
ଡିଣ୍ଡୋରି ଜିଲ୍ଲାର ଗାଡାସରଇ କସବେଠାରେ ରବିବାର ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା ମାଧ୍ୟମରେ ପ୍ରାୟ ୨୨୯ ଯୋଡ଼ିଙ୍କ ବିବାହ ଉତ୍ସବର ଆୟୋଜନ ହୋଇଥିଲା । ଏହି ସାମୁହିକ ବିବାହ ସମାରୋହରେ ଅନେକ ଯୁବତୀ ପହଞ୍ଚିଥିଲେ । ବିବାହ ପାଇଁ ପହଞ୍ଚିଥିବା ଯୁବତୀଙ୍କୁ ଡାକ୍ତରୀ ପରୀକ୍ଷା ନାମରେ କୁମାରୀତ୍ବ ଟେଷ୍ଟ ସହ ପ୍ରେଗ୍ନେନ୍ସି ଟେଷ୍ଟ କରାଯାଇଥିଲା । ଯେଉଁମାନଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା ସେମାନଙ୍କ ନାମକୁ ତାଲିକାରୁ ହଟାଇ ଦିଆଯାଇଥିଲା । ଏପରିକି ଅନେକ ଯୁବତୀ ବିବାହ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ଆସିଥିବା ବେଳେ ସେମାନଙ୍କୁ ଫେରାଇ ଦିଆଯାଇଥିଲା ।