ପାଟନା: VIP କୋଟାରେ ଟ୍ରେନ ଟିକେଟ କନଫର୍ମ କରାଇଦେବା ନାମରେ ବୁଲୁଛନ୍ତି ଦଲାଲ । 200 ସାଂସଦଙ୍କ ନାମରେ ବୁଲୁଛି ଫେକ ଲେଟରପ୍ୟାଡ । ଯାହାକୁ ବ୍ୟବହାର କରି VIP କୋଟାରେ ଯାତ୍ରୀଙ୍କ ଟ୍ରେନ ଟିକେଟ କନଫର୍ମ କରି ଯାତ୍ରୀଙ୍କ ଅର୍ଥ ଲୁଟୁଛନ୍ତି ଦଲାଲ । ବିହାରର ମୁଜାଫରପୁରର ଏପରି ଏକ ରାକେଟର କାରନାମା ସାମ୍ନାକୁ ଆସିଛି ।
ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଲୋକସଭା ଓ ରାଜ୍ୟସଭାର ପ୍ରାୟ 2 ଶହ ସାଂସଦଙ୍କ ନାମରେ ଫେକ ଲେଟରପ୍ୟାଡ ପ୍ରସ୍ତୁତ କରି ଧରି ବୁଲୁଛନ୍ତି ଏହି ଟିକେଟ ଦଲାଲମାନେ । ପ୍ରଲୋଭନରେ ପଡି ଯାହାର ଶିକାର ହେବାରେ ଲାଗିଛନ୍ତି ରେଳଯାତ୍ରୀ । ମାତ୍ରାଧିକ ଯାତ୍ରୀଙ୍କ ସଂଖ୍ୟା କାରଣରୁ ଟ୍ରେନ ଟିକେଟ ଏବେ କନଫର୍ମ ହେବାରେ ଅଧିକାଂଶ ସମୟରେ ବିଳମ୍ବ ହେଉଛି । ଏହି ଅସାଧୁ ଉପାୟ ଅବଲମ୍ବନ କରି ଯାତ୍ରୀଙ୍କ ଠାରୁ ଅଧିକ ଟଙ୍କା ସଂଗ୍ରହ କରି ଟିକେଟ କନଫର୍ମ କରିବାର ନୂଆ ତରିକା ବାହାର କରିଛନ୍ତି ଏହି ଟିକେଟ ଦଲାଲ ।
ମୁଜାଫରପୁର ଷ୍ଟେସନରେ ପହଞ୍ଚିଲା ବିଶାଖାପାଟନମ RPF ଟିମ:-ତେବେ ଏହି ଘଟଣା ଜଣାପଡିବା ପରେ ବିଶାଖାପାଟନମରୁ ରେଳ ସୁରକ୍ଷା ବଳ (RPF)ର ଏକ ଟିମ ବିହାରର ମୁଜାଫରପୁର ଷ୍ଟେସନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରାଥମିକ ତଦନ୍ତରେ ଗତ କିଛି ମାସ ମଧ୍ୟରେ ଏପରି ସାଂସଦଙ୍କ ନାମରେ ପ୍ରସ୍ତୁତ ଫେକ ଲେଟରପ୍ୟାଡ ବ୍ୟବହାର ଅନେକ ଟିକେଟକୁ ମଧ୍ୟ କନଫର୍ମ କରିବାରେ ଦଲାଲମାନେ ସଫଳ ହୋଇଛନ୍ତି । ରେଳବାଇ ନକଟରେ ଜମା କରାଯାଇଥିବା ଏହି ଫେକ ଲେଟରପ୍ୟାଡ ମଧ୍ୟ ପୋଲିସ ହାତରେ ଲାଗିଛି । ଏଥିରେ ଉଭୟ ରାଜ୍ୟସଭା ଓ ଲୋକସଭାର ପ୍ରାୟ 2 ଶହ ସାଂସଦଙ୍କ ନାମ ରହିଥିବା ପୋଲିସ କହିଛି ।