କୋଲକାତା: ଭଙ୍ଗାରୁଜା, ରକ୍ତପାତ, ଅତର୍କିତ ଆକ୍ରମଣ , ଅଗ୍ନିକାଣ୍ଡ ଆଉ ହତ୍ୟା ! ଏସବୁ ଏବେ ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପରର ଚିତ୍ର । ବହୁମତ ସହ ତୃତୀୟ ଥର ଟିଏମସି କ୍ଷମତାସୀନ ହେବା ପରେ ବଦଳିଛି ପଶ୍ଚିମବଙ୍ଗର ଦୃଶ୍ୟ । ହିଂସାର ରାଜୁତି ଗଣତନ୍ତ୍ରର ବିରାଟ ପର୍ବକୁ କରିଛି କଳଙ୍କିତ । ବିରୋଧୀଙ୍କୁ ବିଜୟୀ ଦଳର ଏଭଳି ନିନ୍ଦନୀୟ ଆକ୍ରମଣ ଦେଶକୁ କରିଛି ଆଚମ୍ବିତ ।
ପଶ୍ଚିମବଙ୍ଗରେ ଘୋଷଣା ହୋଇସାରିଛି ବିଧାନସଭା ନିର୍ବାଚନର ଫଳାଫଳ । ପ୍ରଚଣ୍ଡ ବହୁମତ ସହିତ ହ୍ୟାଟ୍ରିକ ବିଜୟ ପରେ କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଠନ କରିବ ତୃଣମୂଳ କଂଗ୍ରେସ । ଆଉ ବିଜେପିକୁ ମାତ ଦେଇ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିଥିବା ମମତା ବାନାର୍ଜୀ ମେ 5ରେ ନେବେ ସମ୍ବିଧାନର ଶପଥ ।
ବଙ୍ଗ ନିର୍ବାଚନରେ ଜନାଦେଶ ସାମ୍ନାକୁ ଆସିବା ପରେ ଆରମ୍ଭ ହୋଇଯାଇଛି ଖେଲା । ଏହା ବିକାଶର ନୁହେଁ ବର ହିଂସା ଓ ରକ୍ତପାତର ଖେଳ । କେଉଁଠି ଭଙ୍ଗାରୁଜା ତ ଆଉ କେଉଁଠି ଚାଲିଛି ଜଳାପୋଡା । ଆଉ ଏହାରି ଭିତରେ ନୀରିହ ଲୋକଙ୍କ ରକ୍ତରେ ଭିଜୁଛି ବଙ୍ଗ ମାଟି ।
ପଶ୍ଚିମବଙ୍ଗରେ ଫଳାଫଳ ସାମ୍ନାକୁ ଆସିବା ପରେ ଆରମ୍ଭ ହୋଇଯାଇଥିଲା ନିର୍ବାଚନୀ ହିଂସା । ବିପୁଳ ବିଜୟ ହାସଲ କରିଛି ତୃଣମୂଳ କଂଗ୍ରେସ । ଏହାସତ୍ତ୍ବେ ମଧ୍ୟ ଆରାମବାଗରେ ବିଜେପି କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ ଟିଏମସି କାର୍ଯ୍ୟକର୍ତ୍ତା । ନିଆଁରେ ବିଜେପି କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଜଳିଯାଇଛି ।