ବେଙ୍ଗାଲୁରୁ: କର୍ଣ୍ଣାଟକର ହୁବଳି ସହରରେ ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ଉତ୍ତେଜନା ଦେଖାଦେଇଛି । ଉତ୍ତେଜତି ଲୋକେ ପୋଲିସ ଗାଡ଼ିକୁ ନଷ୍ଟ କରିବା ସହ ପଥର ଫିଙ୍ଗିଥିଲେ । ଯାହା ଫଳରେ ପୋଲିସ କର୍ମୀଙ୍କ ସହ ଅନେକ ଲୋକ ଆହତ ହୋଇଥିବା ଜଣାପଡ଼ିଛି । ଏହି ଘଟଣାରେ 40 ଜଣଙ୍କୁ ଗିରଫ କରାଯାଇଛି ଏବଂ ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ଉକ୍ତ ଅଞ୍ଚଳରେ 144 ଧାରା ଜାରି କରାଯାଇଛି ।
କର୍ଣ୍ଣାଟକରେ ହିଂସା: 12 ପୋଲିସ କର୍ମୀ ଆହତ, 40 ଗିରଫ - ହୁବଳିରେ ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ଉତ୍ତେଜନା
କର୍ଣ୍ଣାଟକର ହୁବଳି ସହରରେ ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ଉତ୍ତେଜନା ଦେଖାଦେଇଛି । ଏହି ଘଟଣାରେ 40 ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ
ପୋଲିସର ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ଜଣେ ଲୋକ ଗୋଷ୍ଠୀ ସମ୍ପ୍ରଦାୟକୁ ଟାର୍ଗେଟ କରି ସାମାଜିକ ଗଣମାଧ୍ୟମରେ ଏକ ଆପତ୍ତିଜନକ ପୋଷ୍ଟ ସେୟାର କରିଥିଲା । ତେଣୁ ସେହି ସମ୍ପ୍ରଦାୟ ପକ୍ଷରୁ ବିରୋଧ କରି ଥାନାରେ ଏତଲା ଦିଆଯାଇଥିଲା । ଏହାପରେ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି ମାମଲା ରୁଜୁ କରିଥିଲା । ତେବେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନରେ ସନ୍ତୁଷ୍ଟ ନହୋଇ ସମ୍ପ୍ରଦାୟ ପକ୍ଷରୁ ବିଳମ୍ବିତ ରାତିରେ ଥାନା ଘେରାଉ କରିବା ସହ ହଙ୍ଗାମା କରିଥିଲେ । ଏଥିସହ ପୋଲିସ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ ଏବଂ ଥାନା ଉପରକୁ ଟେକାପଥର ମାଡ଼ କରାଯାଇଥିଲା । ଯାହା ଫଳରେ ଘଟଣାସ୍ଥଳରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସ ପକ୍ଷରୁ ଫାଙ୍କା ଗୁଳି ଚାଳନା ଓ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା ।
ହୁବଲୀ-ଧାରବାଡ଼ର ପୋଲିସ ଅଧିକାରୀ ଲଭୁ ରାମ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏହି ଆକ୍ରମଣରେ 12 ଜଣ ପୋଲିସ ଅଧିକାରୀଙ୍କ ସମେତ ଜଣେ ଇନ୍ସପେକ୍ଟର ଆହତ ହୋଇଛନ୍ତି । ଘଟଣାରେ ବର୍ତ୍ତମାନ ସୁଦ୍ଧା 40 ଜଣଙ୍କୁ ଗିରଫ କରାଯାଇଛି । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଅଛି । ତେଣୁ ଆସନ୍ତା 20 ତାରିଖ ଯାଏ ଏହି ଅଞ୍ଚଳରେ 144 ଧାରା ଲାଗୁ କରାଯାଇଛି । ଯେଉଁମାନେ ଆଇନକୁ ହାତକୁ ନେଇଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଅନ୍ୟପଟେ ଏହି ଘଟଣାକୁ ରାଜନୈତିକ ଦୃଷ୍ଟିକୋଣରୁ ନୁହେଁ ବରଂ ଆଇନ ଶୃଙ୍ଖଳା ଦୃଷ୍ଟିରୁ ଦେଖିବାକୁ ପୋଲିସ ଅଧିକାରୀ କହିଛନ୍ତି।