ନୂଆଦିଲ୍ଲୀ:ଏସିଆନ ଗେମ୍ସ ଓ କମନୱେଲ୍ଥ ଗେମ୍ସର ସ୍ବର୍ଣ୍ଣ ପଦକ ବିଜେତା କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଦିଲ୍ଲୀ କର୍ତ୍ତବ୍ୟ ପଥରେ ନିଜ ଅର୍ଜୁନ ପୁରସ୍କାର ଛାଡ଼ି ଚାଲିଯାଇଛନ୍ତି । ମହିଳା କୁସ୍ତିଯୋଦ୍ଧାଙ୍କ ବିରୋଧରେ ହେଉଥିବା ବ୍ୟବହାରକୁ ବିରୋଧ କରି ଏପରି ରାସ୍ତା ମଝିରେ ସମ୍ମାନଜନକ ପୁରସ୍କାର ରଖି ଚାଲିଯାଇଛନ୍ତି । ଗତ କିଛି ଦିନ ପୂର୍ବରୁ ଅଲମ୍ପିକ ବିଜେତା ବଜରଙ୍ଗ ପୁନିଆ ମଧ୍ୟ ପଦ୍ମଶ୍ରୀ ଫେରସ୍ତ କରିଥିଲେ ।
ମିଳିଥିବା ସୂଚନା ଅନୁସାରେ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଯେତେବେଳେ ନିଜ ପୁରସ୍କାର ଫେରାଇବା ଲାଗି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଭିମୁଖେ ଯାଉଥିଲେ, ସେତେବେଳେ ପୋଲିସ ତାଙ୍କୁ ଅଟକାଇଥିଲା । ଏହାପରେ ସେ ନିଜ ପୁରସ୍କାରକୁ କର୍ତ୍ତବ୍ୟ ପଥରେ ଛାଡ଼ି ଚାଲିଯାଇଥିଲେ । ୩ ଦିନ ପୂର୍ବରୁ ଫୋଗାଟ ନିଜ ପୁରସ୍କାର ଫେରାଇବେ ବୋଲି ଘୋଷଣା କରିଥିଲେ । ଏ ନେଇ ସେ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଖୋଲା ଚିଠି ଲେଖିଥିଲେ । ଭିନେଶଙ୍କ ପୂର୍ବରୁ ଗତ ୨୧ ତାରିଖରେ ଅଲମ୍ପିଆନ ସାକ୍ଷୀ ମଲିକ କୁସ୍ତିରୁ ସନ୍ୟାସ ନେଇଥିବା ବେଳେ ଅନ୍ୟତମ ଷ୍ଟାର ପ୍ଲେୟାର ବଜରଙ୍ଗ ପୁନିଆ କର୍ତ୍ତବ୍ୟ ପଥରେ ପଦ୍ମଶ୍ରୀ ପୁରସ୍କାର ଛାଡ଼ି ଚାଲିଯାଇଥିଲେ ।
ଏହା ବି ପଢନ୍ତୁ- କର୍ତ୍ତବ୍ୟ ପଥ ଫୁଟପାଥରେ ପଦ୍ମଶ୍ରୀ ପୁରସ୍କାର ଛାଡି ଚାଲିଗଲେ ପୁନିଆ
ସୂଚନା ଥାଉ କି ଅନେକ ଦିନ ଧରି କୁସ୍ତିଯୋଦ୍ଧାମାନେ ଭାରତୀୟ କୁସ୍ତି ମହାସଙ୍ଘ (WFI) ପୂର୍ବତନ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଧାରଣାରେ ବସିଥିଲେ । ତାଙ୍କୁ ଗିରଫ କରାଯିବା ସହ ଅଧ୍ୟକ୍ଷ ପଦରୁ ହଟାଇବା ଲାଗି ଦାବି ମଧ୍ୟ କରିଥିଲେ । ହେଲେ ବ୍ରିଜଭୂଷଣଙ୍କ ବିରୋଧରେ ସେପରି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ବେଳେ ସେ ନିଜ କାର୍ଯ୍ୟକାଳ ଶେଷ ହେବା ପରେ ଅଧ୍ୟକ୍ଷ ପଦରୁ ହଟିଥିଲେ । ଏହାପରେ ପୁଣି WFIର ନିର୍ବାଚନ ହୋଇଥିବା ବେଳେ ବ୍ରିଜଭୂଷଣଙ୍କ ଘନିଷ୍ଠ ସଞ୍ଜୟ ସିଂ ଡବ୍ଲ୍ୟୁଏଫଆଇ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ମାତ୍ର ଏହାପରେ କ୍ରୀଡା ମନ୍ତ୍ରଣାଳୟ ଏହି ନିର୍ବାଚନକୁ ନିଲମ୍ବିତ କରିଥିଲା ।
ଏହା ବି ପଢନ୍ତୁ- ବ୍ରିଜଭୂଷଣ ବାସଭବନରୁ ହଟିଲା WFI କାର୍ଯ୍ୟାଳୟ, ଆପତ୍ତି ଆଣିଥିଲା କ୍ରୀଡା ମନ୍ତ୍ରଣାଳୟ
ଗତକାଲି (ଶୁକ୍ରବାର) ବ୍ରିଜଭୂଷଣ ବାସଭବନରୁ ଚାଲିଆସୁଥିବା WFI କାର୍ଯ୍ୟାଳୟକୁ ହଟାଯାଇଛି । ଏହାକୁ ଦିଲ୍ଲୀର ଏକ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଏ ନେଇ କ୍ରୀଡା ମନ୍ତ୍ରଣାଳୟ ଆପତ୍ତି ଉଠାଇବା ପରେ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ବ୍ରିଜଭୂଷଣ ବିରୋଧରେ ଯୌନ ନିର୍ଯାତନା ଭଳି ଅଭିଯୋଗ ଥିବା ବେଳେ ନୂଆ WFI ସଦସ୍ୟମାନେ ତାଙ୍କ ଦ୍ବାରା ନିୟନ୍ତ୍ରିତ ହେଉଥିଲେ ବୋଲି ଅଭିଯୋଗ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ