ପାଟନା: କୁହାଯାଏ ସନ୍ତାନର ସୁରକ୍ଷା ପାଇଁ ତାର ବାପା ମାଆ କିଛି ବି କରିବାକୁ ପ୍ରସ୍ତୁତ । ସନ୍ତାନର ସୁରକ୍ଷା ପାଇଁ ଢାଲ ହୋଇ ରହିଥାନ୍ତି ବାପା ମାଆ । ଏମିତି ନିଜ ଜୀବନକୁ ବାଜିରେ ଲଗାଇବାକୁ ମଧ୍ୟ ପଛାନ୍ତି ନାହିଁ। ଯାହା ଏବେ ସତ ପ୍ରତିପାଦିତ ହୋଇଛି ବିହାରର ଯୁବକ ରଜନୀଶଙ୍କ ନିକଟରେ । ଯୁବକ ଜଣଙ୍କ ଏକ କୂଅରେ ପଡିଯାଇଥିବା ବେଳେ ଦେବଦୂତ ସାଜି ତାଙ୍କ ଜୀବନ ରକ୍ଷା କରିଛନ୍ତି ତାଙ୍କ ବାପା ମନୁ ରାମ ।
ମିଳିଥିବା ସୂଚନା ଅନୁଯାୟୀ, ଚେନପୁର ପୋଲିସ ଷ୍ଟେସନ ପରିସରର ଆଖ୍ରା ଗାଁରେ ରଜନୀଶ କୂଅରେ ପଡ଼ିଯାଇଥିଲେ । ଫଳରେ ପୁଅ ଘରକୁ ନଫେରିବାରୁ ଚାରିଆଡେ ଖୋଜା ଖୋଜି କରିଥିଲେ ପରିବାର ଲୋକେ । ଶେଷରେ ପୁଅ କୂଅରେ ପଡିଯାଇଥିବା ଖବର ପାଇଥିଲେ ମନୁ ରାମ । ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ପୁଅକୁ ଉଦ୍ଧାର କରିବାକୁ କୂଅକୁ ଡେଇଁ ପଡିଥିଲେ । ଏହାପରେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ଦୁହେଁ କୂଅରୁ ସୁରକ୍ଷିତ ଭାବେ ବାହାରି ଥିଲେ ।
ପୁଅ ପାଇଁ ଦେବଦୂତ ସାଜିଲେ ବାପା:ତେବେ ପୁଅର ସ୍ବର ଶୁଣିବା ପରେ ମନୁ ରାମ କୂଅ ନିକଟକୁ ଯାଇଥିଲେ । ଏହାପରେ ପୁଅ ପାଣିରେ ପହଁରୁଥିବା ଦେଖିବାକୁ ପାଇଥିଲେ । ବିଳମ୍ବ ନକରି ସଙ୍ଗେ ସଙ୍ଗେ କୂଅକୁ ଡେଇଁ ପଡିଥିଲେ ମନୁ ରାମ । ଗ୍ରାମବାସୀ ଏହା ଦେଖି କୂଅ ନିକଟକୁ ଆସି ଭିଡ ଜମାଇଥିଲେ ।