ପାଟନା:ଏବେବି ଗ୍ରାମବାସୀ ବିଶ୍ବାସ କରୁଛନ୍ତି ହଜାର ବର୍ଷର ପୁରୁଣା ଓ ବିଚିତ୍ର ପରମ୍ପରା । ବୈଶାଖର ନବମୀ ତିଥୀରେ 12 ଘଣ୍ଟା ପାଇଁ ଘର ଛାଡି ଚାଲି ଯାଉଛନ୍ତି ଜଙ୍ଗଲକୁୁ । ଏପରି ଏକ ପୂରାତନ ତଥା ବିଚିତ୍ର ପରମ୍ପରା ଦେଖିବାକୁ ମିଳିଛି ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲାର ବାଗାହା ନାଉରଙ୍ଗିଆ ଗ୍ରାମରେ । ପରମ୍ପରା ଅନୁସାରେ, ଏଠାରେ ବୈଶାଖର ନବମୀ ତିଥୀରେ ଗାଁର ଲୋକମାନେ ନିଜ ଘର ଛାଡି 12 ଘଣ୍ଟା ପାଇଁ ଜଙ୍ଗଲକୁ ଚାଲି ଯିବାର ପରମ୍ପରାରେ ବିଶ୍ବାସ ରହିଆସିଛି । ବିଶ୍ବାସ ରହିଛି ଯେ, ଏପରି କରିବା ଦ୍ବାରା ଗ୍ରାମ ଦେବୀଙ୍କୁ ସନ୍ତୁଷ୍ଟ କରାଯାଇଥାଏ ।
ଏହି ସମୟରେ ଗାଁରେ କୌଣସି ବାସିନ୍ଦାଙ୍କ ଉପସ୍ଥିତି ନଥିବାରୁ ଏକ ଅଦ୍ଭୂତପୂର୍ବ ନୀରବ ପରିବେଶ ସୃଷ୍ଟି ହୁଏ, ଯାହା ଗ୍ରାମଦେବତୀଙ୍କୁ ସନ୍ତୁଷ୍ଟ କରିଥାଏ । ଫଳରେ ଦେବୀଙ୍କ କ୍ରୋଧିତ ଶକ୍ତିରୁ ଗ୍ରାମବାସୀ ରକ୍ଷା ପାଇଥାନ୍ତି ବୋଲି ବିଶ୍ବାସ ରହିଆସିଛି । ସ୍ଥାନୀୟ କିମ୍ବଦନ୍ତୀ ଅନୁସାରେ ପ୍ରାଚୀନ ଥାରୁ ସମ୍ପ୍ରଦାୟ ଦ୍ୱାରା ଏହି ପରମ୍ପରା ଆରମ୍ଭ ହୋଇଥିବା ବେଳେ ଏହା ଏବେ ମଧ୍ୟ ବିଶ୍ବାସର ସହ ପ୍ରଚଳିତ ହୋଇ ଚାଲିଛି । ଆଧୁନିକତାର ଯୁଗରେ ମଧ୍ୟ ଏହି ଗାଁର ଲୋକମାନେ ବିଶ୍ବାସ ଓ ପରମ୍ପରାକୁ ପାଥେୟ କରି ଅନ୍ଧବିଶ୍ୱାସକୁ ଆଦରି ବସିଛନ୍ତି ବୋଲି ସମାଲୋଚକ ମତ ପ୍ରକାଶ କରିଛନ୍ତି ।