ଅମରାବତି:ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗ୍ରାମବାସୀ ପିଟି ପିଟି ହତ୍ୟା କରିଛନ୍ତି । ଅଭିଯୁକ୍ତର ଆକ୍ରମଣରେ ସମ୍ପୃକ୍ତ ନାବାଳିକାଜଣଙ୍କ ମଧ୍ୟ ସଙ୍କଟାପନ୍ନ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି । ଏପରି ଏକ ଅଭାବନୀୟ ଘଟଣା ଆନ୍ଧ୍ର ପ୍ରଦେଶର ଆନ୍ନାମୈୟା ଜିଲ୍ଲାର ଗୁରାମକୋଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି । ଉଭୟ ପୀଡିତା ଓ ଅଭିଯୁକ୍ତ ଗୋଟିଏ ଗ୍ରାମର ବାସିନ୍ଦା ହୋଇଥିବା ଜଣାପଡିଛି । ସୂଚନା ପାଇ ପୋଲିସ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁସାରେ, ସ୍କୁଲରେ ପଢୁଥିବା ସ୍ଥାନୀୟ ଜଣେ 13 ବର୍ଷୀୟା ନାବାଳିକାକୁ ଉକ୍ତ ଗ୍ରାମର ଜଣେ 43 ବର୍ଷୀୟ ବ୍ୟକ୍ତି ଦୁଷ୍କର୍ମ କରିବା ସହ ମାରଣାସ୍ତ୍ରରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ସମ୍ପୃକ୍ତ ପୀଡିତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଘଟଣା ସମ୍ପର୍କରେ ଖବର ପ୍ରଘଟ ହେବା ମାତ୍ରେ, ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲେ । ଅଭିଯୁକ୍ତ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ତାକୁ କାବୁ କରିବା ସହ ସଂଘବଦ୍ଧ ଆକ୍ରମଣ କରିଥିଲେ । ଏଥିରେ ଅଭିଯୁକ୍ତ ଗୁରୁତର ହୋଇଥିଲା ଓ ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ ପୀଡିତା ସଙ୍କଟାପନ୍ନ ଅବସ୍ଥାରେ ଚିକିତ୍ସାଧୀନ ରହିଛି ।