ପାଟନା:ବାଚସ୍ପତି ପଦରୁ ଇସ୍ତଫା ଦେଲେ ବିଜୟ କୁମାର ସିହ୍ନା(Vijay Kumar Sinha resigns as Speaker) । ବିଜେପି ନେତା ବିଜୟ କୁମାର ସିହ୍ନା ଆଜି ବିହାର ବିଧାନସଭା ବାଚସ୍ପତି ପଦରୁ ନିଜର ଇସ୍ତଫା ଘୋଷଣା କରିଛନ୍ତି । କିଛି ସମୟ ପରେ ବିଧାନସଭାରେ ନୀତିଶଙ୍କ ମହାଗଠନବନ୍ଧନ ସରକାର ବହୁମତ ସାବ୍ୟସ୍ତ କରିବାକୁ ଥିବାବେଳେ ଏହା ପୂର୍ବରୁ ସିହ୍ନା ବାଚସ୍ପତି ପଦ ଛାଡିଛନ୍ତି । ଏହାସହିତ ଗୃହ ପରିଚାଳନା ଦାୟିତ୍ବ ଜେଡିୟୁ ନେତା ନରେନ୍ଦ୍ର ନାରାୟଣ ଯାଦଙ୍କୁ ଦେବାକୁ ସେ ସୁପାରିଶ କରିଛନ୍ତି । ଅର୍ଥାତ୍ ବର୍ତ୍ତମାନ ନରେନ୍ଦ୍ର ନାରାୟଣ ଫ୍ଲୋର ଟେଷ୍ଟ ନେବେ ।
ଆଜି ବିହାରରେ ମହାଗଠନବନ୍ଧନ ସରକାର ବହୁମତ ସାବ୍ୟସ୍ତ କରିବ । ବିଧାନସଭାରେ ନୀତିଶ-ତେଜସ୍ବୀ ଫ୍ଲୋର ଟେଷ୍ଟ(Floor Test) ଦେବେ । ବିହାର ବିଧାନସଭାରେ ସିଟ୍ ସଂଖ୍ୟା ୨୪୩ ଅଟେ । ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୨୧ । ନୀତିଶଙ୍କ ପାଖରେ ୧୬୪ ଜଣ ବିଧାୟକଙ୍କ ସମର୍ଥନ ଥିବା ସେ ଦାବି କରିଛନ୍ତି । ତେବେ ଫ୍ଲୋର ଟେଷ୍ଟ ପୂର୍ବରୁ ଏଠାରେ ବହୁ ରାଜନୈତିକ ଡ୍ରାମା ଦେଖିବାକୁ ମିଳିଛି । ମଙ୍ଗଳବାର ମହାଗଠନବନ୍ଧନର ବିଧାୟକମାନେ ବିଜେପି ନେତା ତଥା ବିଧାନସଭା ବାଚସ୍ପତି ବିଜୟ କୁମାର ସିହ୍ନାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । କିନ୍ତୁ ସିହ୍ନା ଇସ୍ତଫା ଦେବାକୁ ରାଜି ହୋଇନଥିଲେ । ତାଙ୍କ ବିରୁଦ୍ଧରେ ମିଛ ପକ୍ଷପାତିତା ଏବଂ ଏକଛତ୍ରବାଦ ଶାସନ କରୁଥିବାର ଅଭିଯୋଗ କରାଯାଇଥିବା ସେ କହିଥିଲେ । ଏଭଳି ପରିସ୍ଥିତିରେ ତାଙ୍କର ଇସ୍ତଫା ଦେବା ଆତ୍ମସମ୍ମାନଙ୍କୁ କ୍ଷତି ପହଞ୍ଚାଇବ ବୋଲି ସେ ପ୍ରକାଶ କରିଥିଲେ।