ନୂଆଦିଲ୍ଲୀ:ଐତିହାସିକ ୧୯୭୧ ଭାରତ-ପାକ ଯୁଦ୍ଧ ପୂରଣ କରିଛି ୫୦ ବର୍ଷ । ଆଜି ସଶସ୍ତ୍ର ବଳର ପରାକ୍ରମକୁ ମନେପକାଇ ସ୍ବାର୍ଣ୍ଣିମ ବିଜୟ ଦିବସ ପାଳୁଛି ସାରା ଦେଶ । ଭାରତୀୟ ସେନାର ପରାକ୍ରମ ଓ ଶତ୍ରୁ ଉପରେ ଐତିହାସିକ ବିଜୟ ଏବଂ ପଡୋଶୀ ବାଂଲାଦେଶ ତଥା ସେତେବେଳର ପୂର୍ବ ପାକିସ୍ତାନର ସ୍ବାଧୀନତା ସଂଗ୍ରାମରେ ଭାରତୀୟ ସେନା ଦେଖାଇଥିବା ପରାକ୍ରମ ବିଜୟ ଗାଥାକୁ ମନେ ପକାଉଛନ୍ତି ଦେଶବାସୀ । ଦିଲ୍ଲୀର ଓ୍ବାର ମେମୋରିଆଲରେ ବୀର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ୩ ସେନା ମୁଖ୍ୟ । ସେହିପରି ରାଷ୍ଟ୍ରପତି ମଧ୍ୟ ବାଂଲାଦେଶ ଗସ୍ତ କରି ବାଂଲାଦେଶ ସ୍ବାଧୀନତା ବିଜୟ ଦିବସ ଉତ୍ସବରେ ଅତିଥି ଭାବେ ସାମିଲ ହୋଇଛନ୍ତି ।
ସ୍ବର୍ଣ୍ଣିମ ଇତିହାସକୁ ମନେପକାଉଛି ଦେଶ ବିଜୟ ଦିବସ ୨୦୨୧ : ଇତିହାସ
୧୯୭୧ ଡିସେମ୍ବର ୩ ତାରିଖରେ ଭାରତ ଉପରେ ଆକ୍ରମଣ କରେ ପାକିସ୍ତାନ । ପାକିସ୍ତାନ ସେନାର ଆକ୍ରମଣ ପରେ ପ୍ରତିଜବାବ ଦିଏ ଭାରତ । ଫଳରେ ଦୁଇ ଦେଶ ମଧ୍ୟରେ ଆରମ୍ଭ ହୁଏ ଯୁଦ୍ଧ । ଦୀର୍ଘ ୧୩ ଦିନ ବ୍ୟାପି ଏହି ଯୁଦ୍ଧରେ ଅପୂର୍ବ ପରାକ୍ରମ ଦେଖାନ୍ତି ଭାରତୀୟ ସେନା । ଉଭୟ ପୂର୍ବ ସୀମାନ୍ତ ଓ ପଶ୍ଚିମ ସୀମାରେ ପାକିସ୍ତାନ ଉପରେ ଆକ୍ରମଣ ଜାରି ରଖେ ଭାରତ । ପଶ୍ଚମରେ ଭାରତ ପାକିସ୍ତାନକୁ ଜବାବ ଦେଉଥିବା ବେଳେ ପୂର୍ବରେ ବାଂଲାଦେଶ ମୁକ୍ତି ସଂଗ୍ରାମର ନେତୃତ୍ବ ନେଉଥିବା ମୁକ୍ତି ବାହିନୀ ଭାରତୀୟ ସେନା ସାହାଯ୍ୟରେ ପାକିସ୍ତାନକୁ କଡା ଜବାବ ଦିଏ ।
ପାକ ସେନାକୁ ଆତ୍ମସମର୍ପଣ ଚେତାବନୀ ଦେଉଛି ଭାରତୀୟ ସେନା Vijay Diwas 2021: ବାଂଲାଦେଶ ସ୍ବାଧୀନତା ପ୍ରସଙ୍ଗରେ ଭାରତର ହସ୍ତକ୍ଷେପ
ତତ୍କାଳୀନ ପୂର୍ବବଙ୍ଗ ଅର୍ଥାତ ଆଜିର ବାଂଲାଦେଶର ଦେଖାଯାଇଥିବା ସ୍ବାଧୀନ ଦେଶ ଦାବିକୁ ଦମନ କରିବା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ନିଏ ପାକିସ୍ତାନ । ବାଂଲାଦେଶର ପାକିସ୍ତାନୀ ସେନାର ବର୍ବରତା ଓ ନରସଂହାର ଫଳରେ ଲକ୍ଷାଧିକ ବାଂଲାଦେଶୀ ଦେଶ ଛାଡି ଭାରତ ମୁହାଁ ହୁଅନ୍ତି । ଯାହା ଭାରତର ପୂର୍ବଞ୍ଚଳରେ ଶରଣାର୍ଥୀ ସମସ୍ୟା ବୃଦ୍ଧି ଘଟେ । ଏହି ସଙ୍କଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଉପରେ ଚାପ ବଢିବାରେ ଲାଗେ ।
ଭାରତୀୟ ନୌସେନାର Operation Trident, କରାଚୀ ଉପକୂଳରେ ଭାରତୀୟ ଯୁଦ୍ଧ ଜାହାଜ ତେବେ ଭାରତ ଏହି ସମସ୍ୟାକୁ ନେଇ ସାମରିକ ରଣନୀତି ପ୍ରସ୍ତୁତି କରୁଥିବା ସମୟରେ ଭାରତୀୟ ବାୟୁସେନା ଘାଟି ଉପରେ ଅତର୍କିତ ଆକ୍ରମଣ କରେ ପାକିସ୍ତାନ ଏୟାର ଫୋର୍ସ । ଫଳରେ ଭାରତ ଏହାର ପ୍ରତି ଜବାବ ଦେବା ସହ ଆନୁଷ୍ଠାନିକ ଭାବେ ଦୁଇ ଦେଶ ମଧ୍ୟରେ ଯୁଦ୍ଧର ସୂତ୍ରପାତ ହୁଏ । ଉଭୟ ପଶ୍ଚିମ ସୀମାନ୍ତ ଓ ପୂର୍ବ ସୀମାନ୍ତରେ ଭାରତୀୟ ସେନା ପାକ ସେନାକୁ କଡା ଜବାବ ଦିଏ ।
ଭାରତୀୟ ନୌସେନାର Operation Trident:-
ଅନ୍ୟ ପଟେ ଭାରତୀୟ ସ୍ଥଳସେନା ସହ ନୌସେନା ମଧ୍ୟ ପ୍ରଥମ ଥର ଯୁଦ୍ଧରେ ନିଜର ଶକ୍ତି ପ୍ରଦର୍ଶନ କରି ସାରା ବିଶ୍ବରେ ଭାରତୀୟ ନୌଶକ୍ତିର ପରିଚୟ ଦେଇଥିଲା । ‘ଅପରେସନ ଟ୍ରାଇଡେଣ୍ଟ’ ଦ୍ବାରା ଭାରତୀୟ ନୈସେନା ଯୁଦ୍ଧ ଯାହଜ ପାକିସ୍ତାନର କରାଚି ବନ୍ଦର ଉପରେ ଆକ୍ରମଣ ମଧ୍ୟ କରନ୍ତି । ଫଳରେ ଉଭୟ ସ୍ଥଳ ଓ ଜଳରେ ଭାରତୀୟ ସେନାର ପ୍ରବଳ ଆକ୍ରମଣକୁ ସାମ୍ନା କରିବାରେ ବିଫଳ ହୁଏ ପାକିସ୍ତାନ । ସେହିପରି ବାଂଲାଦେଶରେ ପାକିସ୍ତାନ ସେନା ଶୌଚନୀୟ ପରାଜୟର ସମ୍ନା କରିବାକୁ ମଧ୍ୟ ବାଧ୍ୟ ହୁଏ ।
ପାକିସ୍ତାନର ଆତ୍ମସମର୍ପଣ :-
ଶେଷରେ ୧୬ ଡିସେମ୍ବର ଆଜିର ଦିନରେ ଭାରତ ନିକଟରେ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୁଏ ପାକିସ୍ତାନ । ଯୁଦ୍ଧ ଲଢଥିବା ପାକିସ୍ତାନ ସେନାର ପ୍ରାୟ ୯୩ ହଜାରରୁ ଉର୍ଦ୍ଧ୍ବ ଯବାନ ଭାରତୀୟ ସେନା ନିକଟରେ ନିସର୍ତ୍ତ ଆତ୍ମସମର୍ପଣ କରିବାକୁ ବାଧ୍ୟ ହୁଅନ୍ତି । ଦ୍ବିତୀୟ ବିଶ୍ବ ଯୁଦ୍ଧ ପରେ ଏହା ସବୁଠୁ ବଡ ସାମରିକ ଆତ୍ମସମର୍ପଣ ବୋଲି ବୋଲି ମତ ଦିଅନ୍ତି ଐତିହାସିକ ।
ଭାରତୀୟ ସେନା ନିକଟରେ ଆତ୍ମସମର୍ପଣ ରାଜିନାମାରେ ସ୍ବାକ୍ଷରିତ କରୁଛନ୍ତି ପାକ ସେନାଧିକାରୀ ସ୍ବତନ୍ତ୍ର ବାଂଲାଦେଶର ଆତ୍ମପ୍ରକାଶ:-
ଏହ ଆତ୍ମସମର୍ପଣ ପରେ ଦକ୍ଷିଣ ଏସିଆର ଭୌଗଳିକ ମାନଚିତ୍ରରେ ମଧ୍ୟ ପରିବର୍ତ୍ତନ ଆସେ । ପୂର୍ବ ପାକିସ୍ତାନ ଭାବେ ପାକିସ୍ତାନର ଏକ ଅଂଶ ଥିବା ବାଂଲାଦେଶ ଏକ ସ୍ବତନ୍ତ୍ର ଦେଶ ଭାବେ ଆତ୍ମପ୍ରକାଶ କରେ । ଏକଦା ବାଂଲାଦେଶ ସ୍ବାଧୀନତା ଆନ୍ଦୋଳନର ନେତୃତ୍ବ ନେଇଥିବା ମୁଜିବୁର ରେହମାନ ସ୍ବତନ୍ତ୍ର ବାଂଲାଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ନିଅନ୍ତି । ପରେ ଭାରତ ଓ ବାଂଲାଦେଶର ସମ୍ପର୍କ ମଧ୍ୟ ବୃଦ୍ଧି ପାଏ । ପରେ ମୁଜିବୁର ରେହମାନ ବଙ୍ଗବନ୍ଧୁ ଭାବେ ମଧ୍ୟ ପରିଚିତ ହୁଅନ୍ତି ।
ସ୍ବତନ୍ତ୍ର ବାଂଲାଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ମୁଜିବୁର ରେହେମାନ ଦିଲ୍ଲୀର ଯୁଦ୍ଧ ସ୍ମାରକୀରେ ପାଳିତ ହେଲା ବିଜୟ ଦିବସ
ଭାରତ ଏହାକୁ ବିଜୟ ଦିବସ ପାଳନ କରିଆସୁଥିବା ବେଳେ ବାଂଲାଦେଶ ମଧ୍ୟ ତାର ସ୍ବାଧୀନତା ଦିବସ ଭାବେ ପାଳନ କରିଆସୁଛି । ତେବେ ଆଜି ଏହି ସ୍ବାର୍ଣ୍ଣୀମ ଇତିହାସ ୫୦ ବର୍ଷ ଅତିକ୍ରମ କରିଥିବା ବେଳେ ଭାରତୀୟ ଯବାନଙ୍କ ପରାକ୍ରମ ଓ ବଳିଦାନକୁ ମନେ ପକାଉଛି ସାରା ଦେଶ । ଦିଲ୍ଲୀର ଇଣ୍ଡିଆ ଗେଟରେ ଥିବା ଯୁଦ୍ଧ ସ୍ମାରକୀରେ ବୀର ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ବିଜୟ ମସାଲରେ ଅଗ୍ନି ସଂଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ