ଚଣ୍ଡିଗଡ:ବ୍ୟାପକ ପୋଲିସ ଅଭିଯାନ ପରେ ମଧ୍ୟ ଫେରାର ହେବାରେ ସଫଳ ହୋଇଥିବା ଖଲିସ୍ତାନୀ ସପକ୍ଷବାଦୀ ସଂଗଠନ ନେତା ଅମ୍ରିତପାଲ ସିଂକୁ ମାର୍ଚ୍ଚ 18 ରୁ ପୋଲିସ ପଳାତକ ଘୋଷିତ କରିସାରିଛି । ତେବେ ଗତକାଲି ଏକ ଭିଡିଓ ଜାରି କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଥିଲା ଅମ୍ରିତପାଲ । ତଦନ୍ତ ପରେ ଏହି ଭିଡିଓ ନେଇ ପୋଲିସର ବଡ ସୂଚନା ହସ୍ତଗତ ହୋଇଛି । ଅମ୍ରିତପାଲ ସିଂ ଜାରି କରିଥିବା ଭିଡିଓ ପଞ୍ଜାବ, ହରିୟାଣା କିମ୍ବା ଭାରତର କୌଣସି ସ୍ଥାନ ନୁହେଁ ବରଂ ବ୍ରିଟେନରୁ ଅପଲୋଡ ହୋଇଥିବା ପୋଲିସ ଜାଣିବାକୁ ପାଇଛି । ହେଲେ ଏହି ଭିଡିଓ ଉତ୍ତର ପ୍ରଦେଶରେ ରେକର୍ଡ କରାଯାଇଛି ।
ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସର ନିଷ୍କ୍ରିୟତା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ପୋଲିସ ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ କରିଛି ଯେ, ଏହି ଭିଡିଓଟି ବ୍ରିଟେନରୁ ଅପଲୋଡ ହୋଇଛି । ଭିଡିଓ ଅପଲୋଡ ହୋଇଥିବା ଡିଭାଇସର ଇଣ୍ଟରନେଟ ପ୍ରୋଟୋକଲ ଆଡ୍ରେସ (IP) ଆଧାରରେ ସାଇବର ସେଲ ଏହାର ଲୋକେସନ ଯାଞ୍ଚ କରିବା ସମୟରେ ଏହା ବ୍ରିଟେନର କୌଣସି ଏକ ସ୍ଥାନରୁ ୟୁଟ୍ୟୁବ ଚାନେଲ ମାଧ୍ୟମରେ ଇଣ୍ଟରନେଟରେ ଅପଲୋଡ ହୋଇଥିବା ଜଣାପଡିଛି ।
ତେବେ ଅନ୍ୟ ଏକ ସୂଚନା ଅନୁସାରେ ଏହି ଭିଡିଓଟି ବ୍ରିଟେନରୁ ଅପଲୋଡ ହୋଇଥିଲେ ସୁଦ୍ଧା ଉତ୍ତର ପ୍ରଦେଶରେ ପ୍ରସ୍ତୁତ ହୋଇଛି । ଏହାକୁ ଅପଲୋଡ କରାଯିବାର ପ୍ରାୟ 3 ଦିନ ପୂର୍ବରୁ ପ୍ରସ୍ତୁତ କରାଯାଇଥିବା ମଧ୍ୟ ପୋଲିସ ଜାଣିବାକୁ ପାଇଛି । ତେବେ ଯେଉଁ ୟୁଟ୍ୟୁବ ଚାନେଲରେ ଏହି ଭିଡିଓଟିକୁ ପ୍ରଥମେ ଅପଲୋଡ କରାଯାଇଥିଲା, ତାହା ଭାରତରେ ପୂର୍ବରୁ ବ୍ୟାନ ଘୋଷଣା କରାଯାଇଛି ।
ଗତକାଲି ଆସିଥିଲା ଅମ୍ରିତପାଲର ଭିଡିଓ:-