ନୂଆଦିଲ୍ଲୀ:ଉପରାଷ୍ଟ୍ରପତି ଏମ. ଭେଙ୍କୟା ନାଇଡୁ ଗାବୋନ, ସେନେଗାଲ ଏବଂ କାତାରର ତିନି ଦେଶ ଗସ୍ତରେ ରହିଛନ୍ତି । ଏହି ଗସ୍ତର ପ୍ରଥମ ପର୍ଯ୍ୟାୟରେ ସୋମବାର ଗାବୋନରେ(Vice-President Venkaiah Naidu) ପହଞ୍ଚିଛନ୍ତି । ଭାରତର ଉପ-ରାଷ୍ଟ୍ରପତି ଭାବେ ନାଇଡୁଙ୍କ ଗସ୍ତ ଏହି ତିନି ଦେଶ ପାଇଁ ପ୍ରଥମ ହୋଇଛି । ଉପରାଷ୍ଟ୍ରପତିଙ୍କ ଏହି ଗସ୍ତ ଭାରତରୁ ଗାବୋନ୍ ଏବଂ ସେନେଗାଲକୁ ପ୍ରଥମ ଥର ପାଇଁ ଏକ ଉଚ୍ଚ ସ୍ତରୀୟ ଗସ୍ତ ବୋଲି କୁହାଯାଉଛି ।
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟ୍ବିଟ କରି କହିଛନ୍ତି ଯେ, "ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କୁ ଗାବୋନର ପ୍ରଧାନମନ୍ତ୍ରୀ ଓସୁକା ରାପୋଣ୍ଡା ଏବଂ ଅର୍ଥମନ୍ତ୍ରୀ ମାଇକେଲ ମୋସା-ଆଡାମୋ ସ୍ବାଗତ କରିଛନ୍ତି ।" ଗାବୋନର ଲିବ୍ରେଭିଲରେ ଉପରାଷ୍ଟ୍ରପତି ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଥିବା ସେ କହିଛନ୍ତି । ନାଇଡୁଙ୍କ ଏହି ଗସ୍ତ ଭାରତ ଓ ଆଫ୍ରିକା ମଧ୍ୟରେ ସମ୍ପର୍କ ଓ ଯୋଗାଯୋଗକୁ ଆହୁରି ସୁଦୃଢ କରିବ । ଉପରାଷ୍ଟ୍ରପତି ମେ ୩୦ ତାରିଖରେ ୩ ଦେଶକୁ ଏହି ଗସ୍ତ ଆରମ୍ଭ କରିଥିବା ବେଳେ ଜୁନ ୭ ତାରିଖ ସୁଦ୍ଧା ଫେରିବେ ବୋଲି ସୂଚନା ମିଳିଛି ।