ମୁମ୍ବାଇ: ଆଜିଠୁ (ସୋମବାର) ମହାରାଷ୍ଟ୍ର ବିଧାନସଭାର 2 ଦିନିଆ ମୌସୁମୀ ଅଧିବେଶନ ଆରମ୍ଭ ହେଉଛି । ଅଧିବେଶନକୁ ନେଇ ମହାରାଷ୍ଟ୍ର ଠାରୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ସମସ୍ତଙ୍କ ନଜର ରହିଛି । ଅଧିବେଶନ ଉଭୟ ସରକାରୀ ଓ ବିରୋଧୀ ଦଳ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ହୋଇପଡିଛି । ଏହି ସ୍ବଳ୍ପ ଅଧିବେଶନରେ ସରକାର ଅନେକ ଗୁରୁତ୍ବପୂର୍ଣ୍ଣ ବିଧେୟକ ଆଣିବାକୁ ଥିବା ବେଳେ ଅଧିବେଶନ ପୂର୍ବରୁ ବୟାନବାଜିକୁ ନେଇ ଏବେ ଆଶା ଆଶଙ୍କାରେ ମହାଅଘାଡୀ ସରକାର ।
ଗତକାଲି (ରବିବାର) ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟର ବିରୋଧୀ ଦଳନେତା ଦେବେନ୍ଦ୍ର ଫଡନାଭିସଙ୍କ ମନ୍ତବ୍ୟକୁ ନେଇ ଏବେ ରାଜନୀତି ବଢିବାରେ ଲାଗିଛି । ଠିକ ଏତିକି ବେଳେ ବିଧାନସଭାର ପରମ୍ପରା ଭାଙ୍ଗିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ପରମ୍ପରା ଅନୁସାରେ କୌଣସି ବିଧାନସଭା ଅଧିବେଶନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୈଶ୍ୟ ଭୋଜିର ଆୟୋଜନ କରିଥାନ୍ତି । ଏହା ଦ୍ବାରା ଅଧିବେଶନ ଉଭୟ ସରକାର- ବିରୋଧୀଙ୍କ ସହଯୋଗରେ ଶୃଙ୍ଖଳିତ ଭାବେ ପରିଚାଳନା ହେବା ନିଶ୍ଚିତ ହୋଇଥାଏ । କିନ୍ତୁ ଗତକାଲି (ରବିବାର) ସଂଧ୍ୟାରେ ହେବାକୁ ଥିବା ନୈଶ୍ୟ ଭୋଜିକୁ ବାତିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ବାତିଲର କାରଣ ସରକାରଙ୍କ ପକ୍ଷରୁ କୌଣସି ସୂଚନା ଦିଆଯାଇ ନଥିଲେ ମଧ୍ୟ ପରମ୍ପରା ଭଙ୍ଗ ହୋଇଛି ।