କୋଲକାତା:ପଶ୍ଚିମବଙ୍ଗର ବରିଷ୍ଠ CPI(M) ନେତା ବାସୁଦେବ ଆଚାର୍ଯ୍ୟଙ୍କର ଆଜି 81 ବର୍ଷ ବୟସରେ ପରଲୋକ ହୋଇଯାଇଛି । ସେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ଗତ କିଛି ମାସ ହେବ ଚିକିତ୍ସାଧୀନ ଥିଲେ । ଆଜି ସେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି । ପଶ୍ଚିମବଙ୍ଗର ଏହି ଭେଟେରାନ ସାମ୍ୟବାଦୀ ନେତା ଲୋକସଭାକୁ ମୋଟ 9 ଥର ନିର୍ବାଚିତ ହୋଇ ଲମ୍ବା ରାଜନୈତିକ ଇନିଂସ ଖେଳିଥିଲେ ।
1942 ମସିହାରେ ପଶ୍ଚିମବଙ୍ଗର ପୁରୁଲିଆରେ ଜନ୍ମଗ୍ରହଣ କରିଥିଲେ ବାସୁଦେବ । ଛାତ୍ରଜୀବନରୁ ସେ ବାମପନ୍ଥୀ ତଥା ସାମ୍ୟବାଦ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇଥିଲେ । ରାଜ୍ୟରେ ସାମ୍ୟବାଦୀ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ସାମାଜିକ ଆନ୍ଦୋଳନ ଓ ଆଦିବାସୀ ସୁରକ୍ଷା ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରି ସେ ଯୁବନେତା ଭାବେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଥିଲେ । ଏହା ପରେ ସେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କବାଦୀ) ରେ ଯୋଗଦାନ କରିଥିଲେ । ଏହିଠାରୁ ତାଙ୍କର ସକ୍ରିୟ ରାଜନୀତି ଜୀବନ ଆରମ୍ଭ ହୋଇଥିଲା । ସେ ପଶ୍ଚିମବଙ୍ଗର ବାଙ୍କୁରା ସଂସଦୀୟ କ୍ଷେତ୍ରରୁ ସିପିଆଇ(ଏମ) ଟିକେଟରେ ସାଧାରଣ ନିର୍ବାଚନର ପ୍ରତିଦ୍ବନ୍ଦ୍ବିତା କରିଥିଲେ ।
1980 ମସିହାରେ ପ୍ରଥମ ଥର ସେ ବାଙ୍କୁରା ସଂସଦୀୟ ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇ ଲୋକସଭାରେ ପହଞ୍ଚିଥିଲେ । ଏହି ପାରମ୍ପରିକ ଆସନରୁ ସେ କ୍ରମାଗତ 2014 ପର୍ଯ୍ୟନ୍ତ ମୋଟ 9 ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । 2014 ମସିହାରେ ସେ ପରାଜୟର ସାମ୍ନା କରିବାକୁ ବାଧ୍ୟ ହୋଇଥିଲେ । ତାଙ୍କୁ ନିଜ ପାରମ୍ପରିକ ଆସନରେ ତୃଣମୂଳ କଂଗ୍ରେସର ପ୍ରାର୍ଥୀ ମନସୁନ ସେନଙ୍କ ଠାରୁ ପରାଜିତ ହେବାକୁ ପଡିଥିଲା । ଏହା ପରେ ସେ ସକ୍ରିୟ ରାଜନୀତିରୁ ସାମାନ୍ୟ ଦୂରରେ ରହିଥିଲେ । ତାଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଖାଯାଇଥିଲା ।