ନୂଆଦିଲ୍ଲୀ:ଆସନ୍ତାକାଲି(ଅଗଷ୍ଟ 10) ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଏଥିପାଇଁ ବିଦାୟୀ ଉପରାଷ୍ଟ୍ରପତିଙ୍କୁ ସୋମବାର ସଂସଦ ଭବନରେ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ବିଦାୟକାଳୀନ ସମାରୋହରେ ଭେଙ୍କେୟା ନାଇଡୁ ନିଜ ଜୀବନର ବହୁ କାହାଣୀ ବଖାଣିଛନ୍ତି । କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବିଦାୟୀ ଉପରାଷ୍ଟ୍ରପତି କହିଛନ୍ତି, ''ଯେକୌଣସି ବ୍ୟକ୍ତି ନିଜର ପରିଶ୍ରମ ବଳରେ କିଛି ବି ହାସଲ କରିପାରିବ । ଯଦି ଇଶ୍ବରଙ୍କ ପରେ ମୁଁ କାହାକୁ ମାନୁଥାଏ ତେବେ ସେ ହେଉଛନ୍ତି ଅଟଳ ବିହାରୀ ବାଜପେୟୀ ଏବଂ ଲାଲକୃଷ୍ଣ ଆଡଭାନୀ । କିନ୍ତୁ କେବେ ବି ମୁଁ ତାଙ୍କର ପାଦ ଛୁଇଁନାହିଁ ।''
ସେ ଆହୁରିମଧ୍ୟ କହିଛନ୍ତି, ''ଆପଣଙ୍କ ପରିଶ୍ରମ ହିଁ ଆପଣଙ୍କୁ ଉଚ୍ଚ ପଦରେ ବସାଇପାରିବ, ବାକି ଆଉ କିଛି କାମରେ ଆସିବ ନାହିଁ । ମୁଁ ୫ ବର୍ଷ କାଳ ଦାୟିତ୍ବ ନିଭାଇଲି । ଗୋଟିଏ ପଟେ ଉପରାଷ୍ଟ୍ରପତି ଭୂମିକା ଅନ୍ୟପଟେ ରାଜ୍ୟସଭା ଅଧ୍ୟକ୍ଷ ଭାବେ ଦାୟିତ୍ବ ସମ୍ପାଦନ କରିଛି । ସବୁବେଳେ ପଦର ମର୍ଯ୍ୟାଦା ରଖିବାକୁ ମୁଁ ପ୍ରୟାସ କରିଛି । ଆପଣ ସମସ୍ତଙ୍କୁ ନମସ୍କାର ସହ ଅଭିବାଦନ କରୁଥିଲି । ଯାହାକି ଆମ ଭାରତୀୟ ପରମ୍ପରାର ଏକ ଅଂଶ ଅଟେ ।''