ଥିରୁଅନନ୍ତପୁରମ:କେରଳର ଅନନ୍ତପଦ୍ମନାଭ ସ୍ବାମୀ ମନ୍ଦିରରେ ଥିବା ଶାକାହାରୀ କୁମ୍ଭୀର ବାବିୟାର ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ କୁମ୍ଭୀରକୁ 75 ବର୍ଷ ହୋଇଥିବା ଜଣାପଡ଼ିଛି । କାସରଗୋଡ ଜିଲ୍ଲାରେ ଅବସ୍ଥିତ ଅନନ୍ତପଦ୍ମନାଭ ସ୍ବାମୀ ମନ୍ଦିରର ପୋଖରୀରେ ବାବିୟା ରହୁଥିଲା । ଗତ ଦୁଇ ଦିନ ଧରି କୁମ୍ଭୀରଟି ନିଖୋଜ ଥିଲା । ରବିବାର ଏହାର ମୃତଦେହ ମିଳିଥିଲା । ଶତାଧିକ ଲୋକ କୁମ୍ଭୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
କୁମ୍ଭୀରଟି ସମ୍ପୂର୍ଣ୍ଣ ଶାକାହାରୀ ଥିଲା । ମନ୍ଦିର କର୍ମକର୍ତ୍ତା ଦାବି କରିଛନ୍ତି, ବାବିୟା କେବଳ ମନ୍ଦିରରେ ପ୍ରସ୍ତୁତ ପ୍ରସାଦ ଖାଉଥିଲା । ପୋଖରୀରେ ଥିବା କେବେ ମାଛ ଖାଉନଥିଲା । ଭକ୍ତମାନେ ସର୍ବଦା କୁମ୍ଭୀରକୁ ଦେଖିପାରନ୍ତି ନାହିଁ । ଏପରିକି ଏହାକୁ ଦେଖିଲେ ଅତ୍ୟନ୍ତ ଶୁଭ ବୋଲି ବିଶ୍ବାସ ରହିଛି । ଲୋକଙ୍କ ଦାବି ଯେ, ଆଜି ପର୍ଯ୍ୟନ୍ତ କୁମ୍ଭୀରଟି କାହାର କୌଣସି କ୍ଷତି କରିନାହିଁ । ବେଳେ ବେଳେ ବାବିୟା ମନ୍ଦିରର ଚତୁଃପାର୍ଶ୍ବ ପରିଭ୍ରମଣ କରେ । କିଛି ବର୍ଷ ପୂର୍ବେ ବାବିୟା ମନ୍ଦିର ପରିସରରେ ବୁଲୁଥିବାର ଭିଡ଼ିଓ ଭାଇରାଲ ହୋଇଥିଲା । ବାବିୟାର ମୃତ୍ୟୁ ଖବର ଜାଣିବା ପରେ ନିକଟସ୍ଥ ଅଞ୍ଚଳର ଶତାଧିକ ଲୋକ ଶେଷ ଦର୍ଶନ ପାଇଁ ଆସିଥିଲେ । ମନ୍ଦିର କର୍ତ୍ତୃପକ୍ଷଙ୍କ ଦ୍ବାରା ତାକୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ:ଆଜି ମୁଲାୟମ ସିଂହ ଯାଦବଙ୍କ ଶେଷକୃତ୍ୟ, ସାମିଲ ହେବେ ଯୋଗୀ