ମୁମ୍ବାଇ: ଭୀମା କୋରେଗାଓଁ ହିଂସା ମାମଲାର ଅଭିଯୁକ୍ତ ଭରଭରା ରାଓଙ୍କୁ ଆଜି ଜାମିନ ମିଳିଛି । ବିପ୍ଲବୀ କବି ତଥା ସାମାଜିକ କର୍ମୀ ଭରଭରାଙ୍କୁ 6 ମାସ ପାଇଁ ଜାମିନ ଦେଇଛନ୍ତି ବମ୍ବେ କୋର୍ଟ । ସ୍ବାସ୍ଥ୍ୟଗତ କାରଣରୁ 81 ବର୍ଷୀୟ ରାଓଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରାଯାଇଛି ।
ସର୍ତ୍ତ ମୁତାବକ ରାଓ 6 ମାସ ପର୍ଯ୍ୟନ୍ତ ମୁମ୍ବାଇ ବାହାରକୁ ଯାଇପାରିବେ ନାହିଁ । ଆବଶ୍ୟକ ତଦନ୍ତ ପାଇଁ ସେ ତଦନ୍ତକାରୀ ସଂସ୍ଥାକୁ ସହଯୋଗ କରିବେ । କୋର୍ଟ ରାଓଙ୍କୁ ନାନାବତୀ ହସ୍ପିଟାଲରୁ ଡିସଚାର୍ଜ କରିବାକୁ ଅନୁମତି ଦେଇଛନ୍ତି । ଡିଭିଜିନ ବେଞ୍ଚର ବିଚାରପତି ଜଷ୍ଟିସ ଏସଏସ ସିନ୍ଧେ ମନୀଷ ପିଟାଲେ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି ।
କୋର୍ଟ ଆହୁରି କହିଛନ୍ତି, ରାଓ ଯେଉଁଠାରେ ରହିବେ ସେଠାର ସମ୍ପୂର୍ଣ୍ଣ ତଥ୍ୟ କୋର୍ଟ ଓ ପୋଲିସକୁ ଦେବେ । ତାଙ୍କୁ ଯେତେବେଳେ ଟ୍ରାଏଲ ପାଇଁ ସାମିଲ ହେବାକୁ କୁହାଯିବ, ସେ ଉପସ୍ଥିତ ରହିବେ । ତେବେ ସେ କୋର୍ଟରେ ବ୍ୟକ୍ତିଗତ ହାଜରରୁ ଛାଡ ପାଇବାକୁ ଆବେଦନ କରିପାରିବେ ।
ସେ ଚାହିଁଲେ ନିକଟସ୍ଥ ପୋଲିସ ଷ୍ଟେସନରୁ ହ୍ବାଟ୍ସ ଆପ ଯୋଗେ ଭିଡିଓ କଲ କରି ନିଜର ଉପସ୍ଥିତି ସମ୍ପର୍କରେ ସୂଚନା ଦେବେ । 6 ମାସ ପରେ ସେ ପୁଣି ଜେଲକୁ ଯିବେ । ତଲୋଜା ଜେଲରେ ତାଙ୍କୁ ଆତ୍ମସମର୍ପଣ କରିବାକୁ ହେବ । ନଚେତ ସେ ଜାମିନ ମିଆଦକୁ ବଢାଇବାକୁ ଆବେଦନ କରିପାରିବେ ବୋଲି କୋର୍ଟ କହିଛନ୍ତି । ତେବେ ସ୍ଥିତି ଦେଖି ଏହା ଉପରେ କୋର୍ଟ ନିଷ୍ପତ୍ତି ନେବେ ।
ଭୀମା କୋରେଗାଓଁ ହିଂସା ମାମଲାରେ ଭରଭରାଙ୍କୁ ଗତ 2018ରେ ଗିରଫ କରାଯାଇଥିଲା । ସେବେ ଠାରୁ ସେ ଜେଲରେ ଥିଲେ । 81 ବର୍ଷୀୟ ରାଓ ମହାମାରୀ କୋଭିଡ ସଂକ୍ରମଣରେ ସଂକ୍ରମିତ ହୋଇଥିଲେ । ଏହା ପରେ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।