ଡେରାଡୁନ:ଉତ୍ତରକାଶୀ ହିମସ୍ଖଳନ(Uttarkashi avalanche) ଅଘଟଣରେ ଏ ପର୍ଯ୍ୟନ୍ତ ୧୯ ଜଣଙ୍କ ମୃତଦେହ ମିଳିଛି । ଅନେକ ଲୋକ ଏବେ ବି ନିଖୋଜ ଅଛନ୍ତି । ମଙ୍ଗଳବାର ସକାଳେ ଉତ୍ତରକାଶୀ ଦ୍ରୌପଦୀର ଦଣ୍ଡା-୨ ପର୍ବତରେ ଏହି ବଡ ଧରଣର ହିମସ୍ଖଳନ ହୋଇଥିଲା । ବରଫ ଅତଡା ଭିତରେ ଏକ ପର୍ବତାରୋହୀ ଟିମ୍ ଫସି ରହିଥିଲେ । ପୂର୍ବରୁ ୧୦ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ବାକି ପର୍ବତାରୋହୀଙ୍କୁ ଖୋଜାଖୋଜି କରାଯାଉଛି । ତେବେ ଶୁକ୍ରବାର ସୁଦ୍ଧା ମୋଟ ୧୯ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର(Uttarakhand DGP Ashok Kumar) ସୂଚନା ଦେଇଛନ୍ତି ।
ସୂଚନା ଅନୁସାରେ, ଆଇଟିବିପି, ବାୟୁସେନା, ଏସଡିଆରଏଫ ଏବଂ ନିମ୍ର ପର୍ବତାରୋହୀଙ୍କ ସମେତ ମୋଟ ୩୦ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ବାୟୁସେନାର ହେଲ୍ଟିକପ୍ଟର ମଧ୍ୟ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛି । ଦୀର୍ଘ ୭୦ ଘଣ୍ଟା ଧରି ଜାରି ରହିଥିବା ଉଦ୍ଧାର କାର୍ଯ୍ୟ ଖରାପ ପାଗ ଯୋଗୁଁ ପ୍ରଭାବିତ ହୋଇଥିବା ସୂଚନା ମିଳିଛି । ତେବେ ମିଳିଥିବା ମୃତଦେହ ଗୁଡିକ ମଧ୍ୟରୁ ତିନି ଜଣ ଟ୍ରେନର ଓ ଅନ୍ୟମାନେ ଟ୍ରେନି ଅଟନ୍ତି । ମୃତକଙ୍କ ଭିତରେ ଏଭରେଷ୍ଟ ବିଜୟୀ ସବିତା କନସ୍ବାଲ ମଧ୍ୟ ଅଛନ୍ତି ।