ଡେରାଡୁନ:ଉତ୍ତରାଖଣ୍ଡ ଉତ୍ତରକାଶୀ ସିଲ୍କିୟାରା ଟନେଲ ଦୁର୍ଘଟଣାକୁ 17ଦିନ ପୂରଣ ହୋଇଛି । 17ଦିନ ହେବ ଅନ୍ଧାରୀ ସୁଡଙ୍ଗ ଭିତରେ ନିଶ୍ବାସ ପାଇଁ ସଂଘର୍ଷ କରୁଛନ୍ତି 41 ଶ୍ରମିକ । ଦିନ ପରେ ଦିନ ଗଢୁଛି ହେଲେ ଉଦ୍ଧାର କାର୍ଯ୍ୟରେ ସଫଳତା ମିଳୁନାହିଁ । ବଡ ବଡ ମେସିନ ଫେଲ ମାରିବା ପରେ ଏବେ ରାଟ ହୋଲ ମାଇନରଙ୍କୁ ଭରସା କରାଯାଇଛି । ତେବେ ଉଦ୍ଧାର କାର୍ଯ୍ୟର ଏହି ନିଷ୍ପତ୍ତି କେତେ ସଫଳ ହେବ, ଅପରେସନ ଲାଭଦାୟକ ହେବ କି ନାହିଁ ତାହା ସମୟ ସାପେକ୍ଷ । ଏହି ରାଟ ହୋଲ ମାଇନିଂ କ'ଣ ? ଏହା କିପରି ଉଦ୍ଧାର କାର୍ଯ୍ୟ କରାଯାଏ ? ଯେଉଁଠି ମେସିନ ଫେଲ ମାରିଲା ସେଠି ଏଥିରେ କିପରି ଖନନ ହେବ ତାହାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । କାହାକୁ କୁହନ୍ତି ରାଟ ହୋଲ ମାଇନର ଜାଣନ୍ତୁ ।
ରାଟ ହୋଲ ମାଇନର କାହାକୁ କୁହନ୍ତୁ:ଆଉ ପ୍ରାୟ 8 ମିଟର ପରେ ଫସି ରହିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିବେ ଉଦ୍ଧାରକାରୀ ଦଳ । 17 ଦିନ ହେବ ଟନେଲ ଭିତରେ ସଂଘର୍ଷ କରୁଛନ୍ତି 41 ଶ୍ରମିକ । ବର୍ତ୍ତମାନ ସେମାନଙ୍କ ଉଦ୍ଧାର କାର୍ଯ୍ୟରେ ମୁଖ୍ୟତଃ ରାଟ ହୋଲ ମାଇନିଂ ହିଁ ଭରସା । ରାଟ ହୋଲ ମାଇନିଂ ଅର୍ଥାତ ମୂଷା ଗାତ ଭଳି ଖଣି ଖୋଳା । ଏହା ଏକ ପୁରୁଣା ପଦ୍ଧତି । ଏଥିରେ ସିଦ୍ଧହସ୍ତଙ୍କୁ ରାଟ ହୋଲ ମାଇନର ବୋଲି କୁହାଯାଏ । ବିନା କୌଣସି ଯନ୍ତ୍ରରେ ହାତରେ ପଥର ଖୋଳି ଖୋଳି ସୁଡଙ୍ଗ ତିଆରି କରିଥାନ୍ତି ରାଟ ହୋଲ ମାଇନର । ଏହା ମନ୍ଥର ଓ ପରିଶ୍ରମ କାମ । ଏହି ଗର୍ତ୍ତ ଭିତରେ କେବଳ ଜଣେ ଲୋକ ଯାଇପାରିବ ।