ଓଡିଶା

odisha

ଅଗର ମେସିନରେ ସମସ୍ୟା ଯୋଗୁଁ ଡ୍ରିଲିଂ ବନ୍ଦ, ଆଜି ପୁଣି ଆରମ୍ଭ ହେବ ଅପରେସନ

By ETV Bharat Odisha Team

Published : Nov 24, 2023, 7:31 AM IST

Uttarakhand Tunnel Collapse: ଉତ୍ତରକାଶୀ ଟନେଲ ରେସ୍କ୍ୟୁ ଅପେରସନ ଅନ୍ତିମ ପର୍ଯ୍ୟାୟରେ । ଅଗର ମେସିନରେ ଯାନ୍ତ୍ରିକ ତ୍ରୁଟି ପାଇଁ କାଲି ରାତିରେ ବନ୍ଦ ରହିଥିଲା ଡ୍ରିଲିଂ । ଆଜି ସକାଳୁ ପୁଣି ଆରମ୍ଭ ହେବ ଅପରେସନ । ଅଧିକ ପଢ଼ନ୍ତୁ

ଉତ୍ତରକାଶୀ ଟନେଲ ଦୁର୍ଘଟଣା
ଉତ୍ତରକାଶୀ ଟନେଲ ଦୁର୍ଘଟଣା

ଡେରାଡୁନ: ଉତ୍ତରକାଶୀ ଟନେଲ ଦୁର୍ଘଟଣା ଆଜକୁ ୧୩ ଦିନ ପୁରିଛି । ଅନ୍ଧାରୀ ଟନେଲ ଭିତରୁ ୪୧ ଶ୍ରମିକଙ୍କୁ ବାହାର କରିବାକୁ ରେସ୍କ୍ୟୁ ଅପରେସନ ଅନ୍ତିମ ପର୍ଯ୍ୟାୟରେ ରହିଛି । ଏବେ ଶ୍ରମିକମାନଙ୍କଠାରୁ ମାତ୍ର କେଇ ମିଟର ଦୂରରେ ଅଛନ୍ତି ରେସ୍କ୍ୟୁ ଟିମ୍ । ଏହାପୂର୍ବରୁ କାଲି(ଗୁରୁବାର) ଏମିତି ସମୟ ଆସିଥିଲା, ଯେତେବେଳେ କିଛି ଘଣ୍ଟା ମଧ୍ୟରେ ହିଁ ଏହି ଅପରେସନ ଶେଷ ହେବା ନେଇ ସମ୍ଭାବନା ବଢିଥିଲା । କିନ୍ତୁ ଆମେରିକା ଅଗର ମେସିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାତିରେ ଡ୍ରିଲିଂ ବନ୍ଦ କରିବାକୁ ପଡ଼ିଥିଲା । ଏହାସହିତ ଉଦ୍ଧାର କାର୍ଯ୍ୟ ମଧ୍ୟ ଅଟକି ଯାଇଥିଲା । ତେବେ ଆଜି ସକାଳେ ମେସିନ ମରାମତି କରାଯାଇ ପୁଣି ଡ୍ରିଲିଂ ଆରମ୍ଭ କରାଯିବ । ଯଦି ସବୁ ଠିକଠାକ୍ ଚାଲେ ତେବେ ଆଜି ହିଁ ସବୁ ଶ୍ରମିକମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ ବୋଲି ଆଶା କରାଯାଉଛି ।

ଏନେଇ ଜଣେ ଅଧିକାରୀ କହିଛନ୍ତି, "ବର୍ତ୍ତମାନ ଅଗର ମେସିନ ମରାମତି କରାଯାଉଛି । ଏଥିପାଇଁ ଆଉ କିଛି ଘଣ୍ଟା ଲାଗିପାରେ । ଯଦି ଅନ୍ୟ କୌଣସି ସମସ୍ୟା ନଆସେ ତେବେ ସକାଳ ୯ଟା ପରେ ପୁଣିଥରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ ।" ବର୍ତ୍ତମାନ ସୁଦ୍ଧା ଉଦ୍ଧାରକାରୀମାନେ ସିଲ୍କିୟାରା ଟନେଲ୍‌ର ୪୬.୮ ମିଟର ପର୍ଯ୍ୟନ୍ତ ଡ୍ରିଲିଂ କରି ସାରିଛନ୍ତି । ଏନ୍‌ଡିଆରଏଫଠାରୁ ଆରମ୍ଭ କରି ଏସ୍‌ଡିଆରଏଫ, ବର୍ଡର ରୋଡ୍‌ ଅର୍ଗାନାଇଜେନସ(BRO) ଏନଏଚଆଇଡିସିଏଲ ଏବଂ ଆଇଟିବିପି ପ୍ରମୁଖ ଏଜେନ୍ସି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି । କାଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମଧ୍ୟ ରାତିସାରା ଦୁର୍ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି । ଏଥିପାଇଁ ସେ ଟନେଲ ନିକଟରେ ଏକ ଅସ୍ଥାୟୀ କ୍ୟାମ୍ପ ଅଫିସ ସ୍ଥାପନ କରିଛନ୍ତି, ଯାହାଫଳରେ ତାଙ୍କର ଦୈନନ୍ଦିନ କାର୍ଯ୍ୟ ଯେପରି ପ୍ରଭାବିତ ନହେବ ।

ଏହା ମଧ୍ୟ ପଢନ୍ତୁ: ଅନ୍ଧାରୀ ସୁଡଙ୍ଗ ଭିତରେ 41 ଶ୍ରମିକଙ୍କ ସେହି 12 ଦିନ, ଜାଣନ୍ତୁ କିପରି ଥିଲା ପ୍ରତିଟି ସେକେଣ୍ଡ

ଶ୍ରମିକମାନଙ୍କୁ ଟନେଲରୁ ବାହାର କରାଯିବା ପରେ ପ୍ରଥମେ ସମସ୍ତଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ । ଏଥିପାଇଁ ଟନେଲ ବାହାରେ ଅସ୍ଥାୟୀ ହସ୍ପିଟାଲ ଖୋଲାଯାଇଛି । ସମସ୍ତ ଆବଶ୍ୟକୀୟ ମେଡିକାଲ ସୁବିଧା ସହିତ ୪୧ଟି ଆମ୍ବୁଲାନ୍ସ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ଆବଶ୍ୟକସ୍ଥଳେ ଶ୍ରମିକଙ୍କୁ ଏୟାରଲିଫ୍ଟ କରାଯିବାର ମଧ୍ୟ ବ୍ୟବସ୍ଥା ହୋଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ୧୨ ତାରିଖରେ ଦୀପାବଳି ଦିନ ସିଲ୍କିୟାରାର ଏହି ଟନେଲ ଭୁଶୁଡ଼ି ପଡ଼ିଥିଲା । ଉତ୍ତରକାଶୀରେ ଚାରିଧାମ ପ୍ରକଳ୍ପ ଅନ୍ତର୍ଗତ ଏହି ଟନେଲ ନିର୍ମାଣ କାରଯାଉଥିଲା । ମାତ୍ର ଦୀପାବଳି ଦିନ ସକାଳ ପ୍ରାୟ ସାଢ଼େ ୫ଟା ବେଳେ ଭୂସ୍ଖଳନ ଯୋଗୁଁ ଟନେଲର ଗୋଟିଏ ଭାଗ ଭୁଶୁଡ଼ି ପଡ଼ିଥିଲା ଏବଂ ସେଠାରେ କାମ କରୁଥିବା ୪୧ ଜଣ ଶ୍ରମିକ ମାଟି ଅତଡ଼ା ତଳେ ଫସି ରହି ଯାଇଥିଲେ । ସେମାନଙ୍କ ମଧ୍ୟରେ ୫ ଓଡ଼ିଆ ଶ୍ରମିକ ରହିଥିଲେ । ଏହି ଖବର ପାଇ ଜିଲ୍ଲା ପ୍ରଶାସନ ତତ୍କାଳ ରେସ୍କ୍ୟୁ ଅପେରନ ଆରମ୍ଭ କରିଥିଲା । ଫସିଥିବା ଶ୍ରମିକମାନଙ୍କୁ ଏୟାର କମ୍ପ୍ରେସଡ ପାଇପ ଜରିଆରେ ଅକ୍ସିଜେନ, ଏବଂ ଖାଦ୍ୟ ପଠାଇବାର ବ୍ୟବସ୍ଥା କରାଯାଇଥିଲା ।

ABOUT THE AUTHOR

...view details